ଭୁବନେଶ୍ୱର : ବିଜୟା ଦଶମୀ ଅବସରରେ ସାରା ରାଜ୍ୟରେ ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ରାବଣ ପୋଡି ଉତ୍ସବ ପାଳନ କରାଯାଇଥାଏ । ଏବର୍ଷ ରାଜଧାନୀ ଭୁବନେଶ୍ୱରରେ ୭ଟି ପ୍ରମୁଖ ସ୍ଥାନରେ ରାବଣ ପୋଡି ଆୟୋଜନ କରାଯାଇଛି । ଏଥିପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।
କମିଶନରେଟ ପୋଲିସ ସୂଚନା ଅନୁଯାୟୀ ଏବର୍ଷ ନହରକଣ୍ଟା (ପାହାଳ ଥାନା), ବରମୁଣ୍ଡା (ଖଣ୍ଡଗିରି ଥାନା), କୋରଡ଼ାକଣ୍ଟା (ବଡ଼ଗଡ଼ ଥାନା), ବାଙ୍କୁଆଲ (ବଡ଼ଗଡ଼ ଥାନା), ଗୋପାଳପୁର (ଇନ୍ଫୋ-ଭ୍ୟାଲି ଥାନା), କିଟ୍ସ ରୋଡ଼ (ଇନ୍ଫୋସିଟି ଥାନା) ଓ ଫୁଟବଲ ଗ୍ରାଉଣ୍ଡ (କପିଳାପ୍ରସାଦ ଏୟାରଫିଲ୍ଡ ଥାନା)ରେ ରାବଣ ପୋଡି ଅନୁଷ୍ଠିତ ହେବ । ରାମାୟଣରେ ସୀତାମାତାଙ୍କୁ ହରଣ ପରେ ମହାପ୍ରତାପୀ ଦୁଷ୍ଟ ରାବଣକୁ ବିଜୟା ଦଶମୀରେ ବଦ୍ଧ କରି ମା’ ସୀତାଙ୍କୁ ଉଦ୍ଧାର କରିଥିଲେ ପ୍ରଭୁ ରାମଚନ୍ଦ୍ର I ଭଗବାନ ରାମଙ୍କ ରାବଣ ଉପରେ ବିଜୟର ପ୍ରତୀକ ଭାବେ ବିଜୟା ଦଶମୀରେ ରାବଣ ପୋଡି ବା ଦହନ ପାଳନ କରାଯାଇଥାଏ ।
ଚଳିତ ବର୍ଷ ଭୁବନେଶ୍ୱରରେ ୧୯୩ଟି ପୂଜା ପେଣ୍ଡାଲ ହୋଇଛି। ଉତ୍ସବ ସୁଚାରୁ ପାଳନ ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ପେଣ୍ଡାଲରେ ସିସିଟିଭି ଲାଗିଛି। ୩ ଜଣ ଡିସିପି, ୬ ଜଣ ଅତିରିକ୍ତ ଡିସିପି, ୧୨ ଡିଏସ୍ପି, ୩୩ ଇନ୍ସପେକ୍ଟର, ୧୭୨ ଏସଆଇ/ଏଏସଆଇ, ୩୮ ପ୍ଲାଟୁନ ପୁଲିସ ଓ ୨୦ ପ୍ଲାଟୁନ ହୋମଗାର୍ଡ ନିୟୋଜିତ ହେବେ। ଏକ କମ୍ପାନୀ ସିଏପିଏଫ, ସ୍ପେଶାଲ ଟାକ୍ଟିକାଲ ୟୁନିଟ ଓ ବୋମା ଡିଟେକ୍ସନ ସ୍କ୍ୱାଡ଼ ମଧ୍ୟ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି।

Comments are closed.