ବଲିଉଡ଼ ପାଇଁ ପୁଣି ଏକ ଦୁଖଦଃ ଖବର I ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆଉ ପାର୍ଥିବ ଶରୀରରେ ନାହାନ୍ତି I ରାଜୁ ଶ୍ରୀବାସ୍ତବଙ୍କର ଗତମାସ ୧୦ ତାରିଖରେ ଦିଲ୍ଲୀସ୍ଥିତ ଏକ ଜିମରେ ଟ୍ରେଡ଼ମିଲରେ ଦୌଡୁଥିବା ସମୟରେ ହୃଦଘାତର ଶିକାର ହୋଇ ତଳେ ପଡିଯାଇଥିଲେI ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସ ରେ ଭର୍ତି କରାଯାଇ ତାଙ୍କର ଆଞ୍ଜିଓପ୍ଲାଷ୍ଟି ମଧ୍ୟ ହୋଇଥିଲା। ଏହାପରେ ଗତ ୪୦ ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ଏହାରି ଭିତରେ ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ଲଗାତାର ଅପଡେଟ ମିଳୁଥିଲା। ଚିକିତ୍ସା ଭିତରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ଆସିଥିବାର ଖବର ମଧ୍ୟ ମିଳିଥିଲା। କିନ୍ତୁ କିଛି ଦିନ ପୂର୍ବରୁ ରାଜୁଙ୍କର ବ୍ରେନଡେଡ଼ ହୋଇଥିବା ନେଇ ସୂଚନା ମିଳିଥିଲା I ହେଲେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ଦୁଃଖଦ ଖବର ପରିବାର ପକ୍ଷରୁ ସୂଚନା ଦିଆଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା I

ରାଜୁ ଶ୍ରୀବାସ୍ତବଙ୍କ ପରଲୋକରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ଭାବେ ରାଜୁ ଶ୍ରୀବାସ୍ତବ ବେଶ୍ ପରିଚିତ ଥିଲେ।
ସୂଚନାନୁସାରେ AIIMSର ଜଣେ ଡାକ୍ତର କହିଥିଲେ, ରାଜୁଙ୍କ ଚେତା ଫେରିବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ । ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା ରଖିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଅନେକ ସମୟରେ ଭଲ ପାଉଥିବା ଲୋକଙ୍କ ସ୍ୱର ଶୁଣିଲେ ରୋଗୀର ଚେତା ଫେରି ଆସିଥାଏ।

ରାଜୁଙ୍କ ପରିବାରର ଅନୁରୋଧ କ୍ରମେ ଅମିତାଭ ଏକ ଅଡିଓ ମେସେଜ୍ ତିଆରି କରି ପଠାଇଥିଲେ। ଏଥିରେ ସେ କହିଥିଲେ…ବହୁତ ହୋଇଗଲା ରାଜୁ, ଏବେ ତୁମେ ଉଠି ଆସ…ଆମକୁ ହସିବାର କଳା ଶିଖେଇବ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କୁ ଏହି ମେସେଜକୁ ଶୁଣାଯାଇଥିଲା। ଏହା ଦ୍ୱାରା କିଛି ଚମତ୍କାର ହୋଇପାରେ ବୋଲି ସମସ୍ତେ ଆଶା ରଖିଥିଲେ। ଶେଷରେ ତା ହିଁ ହୋଇଲା । ୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ମଧ୍ୟ ଫେରିଥିଲା।
ରାଜୁ ଶ୍ରୀବାସ୍ତବ ଟିଭିରେ ଅନେକ ପପୁଲାର୍ ଶୋ’ରେ ଭାଗ ନେଇଥିଲେ। କମେଡି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ ମିଳିଥିଲା। ‘ବିଗ୍ ବସ୍’, ‘ଶକ୍ତିମାନ୍’, ‘ଦ ଗ୍ରେଟ ଇଣ୍ଡିଆନ୍ ଲାଫ୍ଟର୍ ଚ୍ୟାଲେଞ୍ଜ’, ‘କମେଡି ସର୍କସ୍’ ଓ ‘ଦ କପିଲ ଶର୍ମା’ ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ଏତଦ୍ବ୍ୟତୀତ ସେ ଅନେକ ଶୋ’ରେ ମଧ୍ୟ ନଜର ଆସିଥିଲେ। ୨୦୧୪ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ।
ରାଜୁ ଶ୍ରୀବାସ୍ତବ ଙ୍କୁ କମେଡି କିଙ୍ଗ ଭାବରେ ଜଣାଯାଏ I ସେ ବଲିଉଡର ପ୍ରସିଦ୍ଧ ଷ୍ଟାଣ୍ଡଅପ କମେଡିଆନ ଥିଲେ I ରାଜୁ ଶ୍ରୀବାସ୍ତବଙ୍କର ଜନ୍ମ ୧୯୬୩ ମସିହା କାନପୁର ସ୍ଥିତ ଉନ୍ନIଓ ରେ ହୋଇଥିଲା I ରାଜୁ ଶ୍ରୀବାସ୍ତବ ଙ୍କ ପିତା ଶ୍ରୀ ରମେଶଚନ୍ଦ୍ର ଶ୍ରୀବାସ୍ତବ ମଧ୍ୟ ଜଣେ ପ୍ରସିଦ୍ଧ କବି ଥିଲେ I ରାଜୁଙ୍କର ପିଲାବେଳରୁ କମେଡି ପ୍ରତି ସଉକ ରହିଥିଲା I ସେ ତାଙ୍କ ସ୍କୁଲ ସମୟରୁ ବିଭିନ୍ନ ପ୍ରକାର ମିମିକ୍ରି କରି ସାଙ୍ଗ ମାନଙ୍କୁ ମନୋରଞ୍ଜନ କରି ଆସୁଥିଲେ I ଏପରିକି ସେ ନିଜ ସ୍କୁଲ ଶିକ୍ଷକଙ୍କ ମିମିକ୍ରି ମଧ୍ୟ କରିଥିଲେ I ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅବିକଳ ମିମିକ୍ରି କରିପାରିଥିଲେ I
ରାଜୁ ପିଲାବେଳ ଠାରୁ ଚାହୁଁଥିଲେ ଜଣେ କମେଡିଆନ ହେବାପାଇଁ I ଆଉ ଏଥିପାଇଁ ଘରଲୋକ ତାଙ୍କ ଉପରେ ଅସନ୍ତୁଷ୍ଟ ହେଉଥିଲେ I କାରଣ ତାଙ୍କ ପରିବାରରେ ସମସ୍ତେ ସରକାରୀ ବିଛକୀରିଆ ଥିଲେ I ମାତ୍ର ସେହି ଛୋଟ ସହରରୁ ବାହାରି ରାଜୁ ନିଜ ସ୍ବପ୍ନ କୁ ସାକାର କରିପାରିଥିଲେ I

ରାଜୁ ଶ୍ରୀବାସ୍ତବଙ୍କ ର ଅକାଳ ବିୟୋଗ ରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି I ରାଜୁଙ୍କର ୫ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି I ଏହାବାଦ ରାଜୁଙ୍କର ପରିବାର ମଧ୍ୟରେ ତାଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ ଜଣେ ଗୃହିଣୀ ହୋଇଥିବାବେଳେ ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି I ତାଙ୍କ ପୁଅ ଆୟୁଷ୍ମାନ ଶ୍ରୀବାସ୍ତବ ଜଣେ ସୀତାରବାଦକ ଓ ଝିଅ ଅନ୍ତରା ଶ୍ରୀବାସ୍ତବ ହେଉଛନ୍ତି ଆସିଷ୍ଟାଣ୍ଟ ଡାଇରେକଟର I ଅନ୍ତରା ନିଜର ବାହାଦୂରୀ ପାଇଁ ‘ନ୍ୟାସନାଲ ବ୍ରେଭେରୀ ଆୱାର୍ଡ’ ମଧ୍ୟ ପାଇ ସାରିଛନ୍ତି I ୨୦୦୫ ମସିହାରେ ରାଜୁ ଙ୍କ ଘରେ ଯେତେବେଳେ ଚୋର ପଶି ତାଙ୍କ ମା’ଙ୍କୁ ଆକ୍ରମଣ କରିଥିଲେ ,ଅନ୍ତରା ନିଜ ବାହାଦୂରୀ ବଳରେ ଚୋରଙ୍କୁ କାବୁ କରି ଜେଲ ପଠାଇ ପାରିଥିଲେ I

Comments are closed.