ରାଜସମନ୍ଦ: ସନ୍ନ୍ୟାସ ହେବା ପାଇଁ ପରିପକ୍ୱ ବୟସ ଓ ଚିନ୍ତାଧାରା ସହିତ ସଂସାରିକ ମୋହମାୟାରୁ ବିରତ ନେଇ ଇଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରାଯାଏ । ସେଥିପାଇଁ କଠିନ ଅଧ୍ୟାବସାୟ ଦରକାର । ହେଲେ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ରହୁଥିବା ୧୩ ବର୍ଷୀୟା ଶିବାଙ୍ଗୀ ଗାନା ଏହି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି । ସେ କମ୍ ବୟସରୁ ସନ୍ନ୍ୟାସିନୀ ହେବାକୁ ଯାଉଛନ୍ତି ।
ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ଶିବାଙ୍ଗୀ ଚତୁର୍ଥ ଶ୍ରେଣୀ ପରେ ପାଠପଢା ଛାଡ଼ି ସନ୍ନ୍ୟାସିନୀ ହେବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା କରାଯାଉଛି ।
୧୭ ଫେବୃଆରୀକୁ ୪୬ ସାଧୁସନ୍ଥ ଏବଂ ମାତାଙ୍କ ସାନିଧ୍ୟ ମଧ୍ୟରେ ବ୍ୟାୱର ସହରରେ ଶିବାଙ୍ଗୀ ସନ୍ନ୍ୟାସିନୀର ବ୍ରତ ଗ୍ରହଣ କରିବେ । ସାଂସାରିକ ଜୀବନରୁ ମୋହ ଭାଙ୍ଗି ସେ ନିଜ ମାତାପିତାଙ୍କ ସମ୍ମୁଖରେ ଦୀକ୍ଷା ନେବାର ଇଚ୍ଛା ପ୍ରକାଶ କରିଛନ୍ତି ।
ତେବେ ସାଂସାରିକ ଜୀବନରୁ ସଂଯମ ପଥର ନିର୍ଣ୍ଣୟ ନେବା ପରେ ଶିବାଙ୍ଗୀ ଜୈନ ସାଧୁସନ୍ଥଙ୍କ ସେବାରେ ମଗ୍ନ ରହିବେ । ୨୫ ଫେବୃଆରୀ ୨୦୦୯ରେ ଜନ୍ମିତା ଶିବାଙ୍ଗୀ ତାଙ୍କ ୧୪ତମ ଜନ୍ମଦିନର ୮ଦିନ ପୂର୍ବରୁ ଏହି ଦୀକ୍ଷା ନେବେ । ପିଲାଟିବେଳୁ ସେ ଧାର୍ମିକ ଗ୍ରନ୍ଥ ପଢ଼ିବାରେ ରୁଚି ରଖୁଥିବା ତାଙ୍କ ମାତାପିତା କହିଛନ୍ତି । ଏହାସହ ସେ କମ୍ ଆୟୁର ହୋଇଥିଲେ ମଧ୍ୟ ଜୈନ ସାଧୁଙ୍କ ଧର୍ମ ସଭାରେ ଯାଇ ପ୍ରବଚନ ଶୁଣିବାକୁ ଭଲ ପାଉଥିଲେ ।
କେବଳ ସେତିକି ନୁହେଁ ଶିବାଙ୍ଗୀ ଜୈନ ଧର୍ମ ଗ୍ରହଣ କରିଥିବା ସନ୍ନ୍ୟାସିନୀଙ୍କ ସହ ୪୦୦ କିଲୋମିଟର ପଦଯାତ୍ରା ମଧ୍ୟ ଶେଷ କରିସାରିଛନ୍ତି । ଏହି ପଦଯାତ୍ରା ଶେଷ ହେବା ପରେ ଦୀକ୍ଷା ନେବା ପାଇଁ ନିର୍ଣ୍ଣୟ ନେଇଥିଲେ । ତେବେ ତାଙ୍କ ନିଷ୍ପତ୍ତିରେ ପରିବାର ଲୋକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ଶିବାଙ୍ଗୀଙ୍କ ପରିବାରରେ ଏପର୍ଯ୍ୟନ୍ତ ୨ ପିଢିର ୧୦ ଜଣ ଲୋକ ସନ୍ନ୍ୟାସର ଦୀକ୍ଷା ନେଇସାରିଛନ୍ତି ।
Comments are closed.