ରଜ ରିଲିଜ୍‌


ରଜ ଆସିଲେ ସବୁଠାରୁ ଅଧିକ ଚଳ ଚଞ୍ଚଳ ହୋଇଉଠେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ । ରଜକୁ ଆଖିରେ ରଖି ଅନେକ ଫିଲ୍ମ ପରଦାକୁ ଆସିଥାଏ । ସେହିଭଳି କେବଳ ଫିଲ୍ମ ନିର୍ମାତା ନୁହେଁ ଦର୍ଶକ ମଧ୍ୟ ଚାହିଁ ରହିଥାଆନ୍ତି ରଜ ରିଲିଜ୍‌କୁ ।

ରଜରେ ନୂଆ ଫିଲ୍ମ ରିଲିଜ୍‌ ହେବା ଯେପରି ଏକ ପ୍ରଥା ପାଲଟିଛି । ସବୁବର୍ଷ ରଜରେ ଏକାଧିକ ଫିଲ୍ମ ରିଲିଜ୍‌ ହେବାର ଦେଖିବାକୁ ମିଳିଥାଏ । ଗତ ବର୍ଷ ମଧ୍ୟ ଏକାଧିକ ଫିଲ୍ମ ରଜରେ ରିଲିଜ୍‌ ହୋଇଥିଲା ଯାହାକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ । ସବୁଥର ପରି ଏଥରକ ମଧ୍ୟ ତିନୋଟି ଫିଲ୍ମ ରଜରେ ପରଦାକୁ ଆସିଛି । ଯାହା ସମ୍ପର୍କରେ ସୂଚନା ମିଳିବା ପରେ ଦର୍ଶକଙ୍କ ଭିତରେ ଖୁବ କ୍ରେଜ ଦେଖିବାକୁ ମିଳିଛି । ସମସ୍ତେ ଏହି ଫିଲ୍ମ ଦେଖି ରଜକୁ ଖୁବ ସୁନ୍ଦର ଭାବେ ଉପଭୋଗ କରିବେ ବୋଲି ଯୋଜନା କରିଛନ୍ତି । ଏଥିରେ ଓଡ଼ିଶାର ବଡବଡ ଷ୍ଟାରଙ୍କର ଫିଲ୍ମ ସାମିଲ ରହିଛି । ରଜରେ ପିଠା ଓ ପାନ ଖାଇ ନୂଆ ଡ୍ରେସ ପିନ୍ଧି ସିନେମା ଦେଖିବାର ମଜା କିଛି ଭିନ୍ନ, ଏହା ଯେପରି ଆମ ଓଡିଆଙ୍କ ମନପ୍ରାଣରେ ରହିଛି । ସମସ୍ତେ ଏହି ଅନୁଭବକୁ ସବୁବେଳେ ଉପଭୋଗ କରନ୍ତି । ଛୋଟ ଠାରୁ ବଡ ସବୁ ବର୍ଗର ଲୋକମାନେ ରଜରେ ଫିଲ୍ମ ଦେଖିବାକୁ ଲାଇନ୍‌ ଲଗାଇଥିବାର ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ରଜରେ ରିଲିଜ୍‌ ହୋଇଥିବା ଫିଲ୍ମ ଗୁଡିକଙ୍କ ସମ୍ପର୍କରେ ।

ବୋଉ ବୁଟୁ ଭୂତ
କିଛି ଦିନ ପୂର୍ବରୁ ବାବୁସାନ ଫିଲ୍ମ ଓ ସିଦ୍ଧାର୍ଥ ମିଜ୍ୟୁକ୍‌ ମିଳିତ ଭାବେ ଏହି ଫିଲ୍ମର ଘୋଷଣା କରିଥିଲେ । ଫିଲ୍ମଟି ଘୋଷଣା ହେବା ପରେ ସମସ୍ତଙ୍କ ଭିତରେ ଖୁବ ଆଗ୍ରହ ଦେଖିବାକୁ ମିଳିଥାଏ । ବିଶେଷଭାବେ ଏହାର ଷ୍ଟାର କାଷ୍ଟ ସମସ୍ତଙ୍କୁ ବେଶି ଆକୃଷ୍ଟ କରିଛ । ଏହି ଫିଲ୍ମରେ ଦର୍ଶକ ବାବୁସାନଙ୍କ ସହିତ ଅପରାଜିତା ମହାନ୍ତିଙ୍କୁ ଏକାଠି ଦେଖିବାକୁ ମିଳିବ । ଉଭୟ ଏଥିରେ ପୁଅ ଓ ମାଆ ଭୂମିକାରେ ନଜର ଆସିଛନ୍ତି । ସେହିଭଳି ଏହାର ଆନାଉନ୍ସ ଭିଡିଓ ଖୁବ ଚର୍ଚ୍ଚା ସାଉଁଟିଥିଲା କାରଣ ପ୍ରଥମଥର ପାଇଁ ସ୍କ୍ରିନ୍‌ରେ ଅପରାଜିତାଙ୍କୁ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କ ଭିତରେ ଫିଲ୍ମକୁ ନେଇ କ୍ରେଜ ସୃଷ୍ଟି କରାଇଛି । ସେହିଭଳି ଏହି ଫିଲ୍ମର ଗୀତ ଗୁଡିକ ମଧ୍ୟ ଖୁବ ଚର୍ଚ୍ଚା ସାଉଁଟିଛି । ଦର୍ଶକ ଏହାର ଆଇଟ୍‌ମ ସଙ୍ଗକୁ ଖୁବ ଭଲ ପାଇବା ଦେଇଛନ୍ତି । ସେହିଭଳି ଅନେକ ଦିନ ପରେ ବାବୁ ସାନ ଓ ଅର୍ଚ୍ଚିତାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏଥିରେ ଏକ ଗାଁର ଗୁଣିଗାରେଡି କାହାଣୀକୁ ସ୍ଥାନ ଦିଆଯାଇଛି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଜଗଦୀଶ ମିଶ୍ର ।

ସ୍ତ୍ରୀଙ୍କ ପ୍ରଯୋଜନାରେ ଅଭିନୟ
ବୋଉ ବୁଟୁ ଭୂତ ଆଉ ଏକ ଘଟଣା ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚିତ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବାବୁସାନ୍‌ଙ୍କ ସ୍ତ୍ରୀ ତ୍ରୁପ୍ତି ଶତପଥୀ । ପୁରା ପରିବାରର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇ କାମ କରିଥିବାରୁ ଏହା ଫିଲ୍ମକୁ ହିଟ୍‌ କରାଇବାରେ ସହାୟକ ହେବ ବୋଲି ଫିଲ୍ମ ସମୀକ୍ଷକ ମତ ଦେଇଛନ୍ତି । ସେହିଭଳି ସ୍ତ୍ରୀଙ୍କ ପ୍ରଯୋଜନାରେ ଅଭିନୟ କରି ବାବୁ ସାନ୍‌ଙ୍କୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥିବା ସେ ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

ପୂର୍ବରୁ ରହିଥିଲା ଚର୍ଚ୍ଚାରେ
ଫିଲ୍ମଟି ରିଲିଜ୍‌ ପୂର୍ବରୁ ଆଉ ଏକ ଘଟଣା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଫିଲ୍ମ ସୁଟିଂ ସମୟରେ ବାବୁ ସାନ୍‌ ନିଜ ପିତା ଉତ୍ତମ ମହାନ୍ତିଙ୍କୁ ହରାଇଥିଲେ । ତାଙ୍କର ସୁଧଘର କରିବା ସମୟରେ ବାବୁ ସାନ ଲଣ୍ଡା ହୋଇନଥିବା ଦେଖିବାକୁ ମିଳିଥିଲା, ଯାହାର କାରଣ ସେ ବୋଉ ବୁଟୁ ଭୁତ ଫିଲ୍ମର ସୁଟିଂ ବୋଲି କହିଥିଲେ । ଯେହେତୁ ଫିଲ୍ମ କାମ ଅଧାରେ ରହିଛି ତେଣୁ ତାଙ୍କର ଲଣ୍ଡା ହେବାରେ ସମସ୍ୟା ରହିଛି । ଅନେକ ଲୋକଙ୍କର ଆର୍ଥିକ ସ୍ଥିତି ସେହି ଫିଲ୍ମ ଉପରେ ନିର୍ଭର କରୁଛି ତେଣୁ ସେ ଫିଲ୍ମର କାମ ସରିବା ପରେ ଯାଇ ଲଣ୍ଡା ହେବେ ବୋଲି ସୂଚନା ଦେଇଥିଲେ । ପରେ ସେ ଲଣ୍ଡା ହୋଇଥିଲେ ମଧ୍ୟ ।

ସ୍ୱାମୀ ସ୍ତ୍ରୀଙ୍କ ଲଢେଇ
ବୋଉ ବୁଟୁ ଭୂତ ଫିଲ୍ମରେ ଅର୍ଚ୍ଚିତାଙ୍କୁ ଫିମେଲ ଲିଡ୍‌ରେ ଦେଖିବାକୁ ମିଳିଛି । ରଜରେ ରିଲିଜ୍‌ ହେଉଥିବା ଫିଲ୍ମ ସହ ପରଦାରେ ଲଢେଇ କରିବ ଫିଲ୍ମ ଅନନ୍ତା । ଯେଉଁଥିରେ ସବ୍ୟସାଚୀ ମିଶ୍ର ମୁଖ୍ୟ ଭୂମିକାରେ ଅଛନ୍ତି । ତେଣୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି କି ଚଳିତ ରଜରେ ସ୍ୱାମୀ ସ୍ତ୍ରୀ ଲଢେଇ ଦେଖିବାକୁ ମିଳିବ । କାହା ଫିଲ୍ମ ବାଜି ମାରୁଛି ତାହା ଦେଖିବାକୁ ଉଭୟଙ୍କ ଫ୍ୟାନଙ୍କ ଭିତରେ ଉତ୍କ=ା ରହିଛି ।

ଅନନ୍ତା
ବ୍ୟସକବି ଫକୀର ମୋହନ ସେନାପତିଙ୍କ ବହି ରାଣ୍ଡି ପୁଅ ଅନନ୍ତାକୁ ପ୍ରସ୍ତୁତ ହୋଇଛି ଫିଲ୍ମ ଅନନ୍ତା । ଯେଉଁଥିରେ ମୁଖ୍ୟ ଚରିତ୍ରରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଖୁବ ଆଗ୍ରହ ରହିଛି । ଫିଲ୍ମରେ ଓଡ଼ିଶାର ଏକ ନିଚ୍ଛକ କାହାଣୀକୁ ସ୍ଥାନ ଦିଆଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ସବ୍ୟସାଚୀ ମହାପାତ୍ର । ଉଭୟ ସବ୍ୟସାଚୀ ମିଶି ଫିଲ୍ମଟିକୁ ଦର୍ଶକଙ୍କ ପାଇଁ ଖୁବ ରୋମାଞ୍ଚକର ବନାଇଛନ୍ତି ବୋଲି ମତ ପ୍ରକାଶ ପାଇଛି । ଏଥିରେ ଓଡିଶାର ଗ୍ରାମୀଣ ଜୀବନର ଖୁବ ଭଲ ଝଲକ ଦେଖିବାକୁ ମିଳିବ । ଅନେକ ଦିନ ପରେ ଦର୍ଶକଙ୍କୁ ଏକ ଏଭଳି ଥିମ୍‌ର ଫିଲ୍ମ ଦେଖିବାକୁ ମିଳିଛି ତେଣୁ ଫିଲ୍ମର ସଫଳତା ନେଇି ପୁରା ଟିମ ବେଶ ସକାରାତ୍ମକ ଅଛନ୍ତି । ଫିଲ୍ମଟି ହିଟ୍‌ ହେବା ନେଇ ସେମାନେ ଆଶାବାଦୀ ଅଛନ୍ତି ।

ଚରିତ୍ର ପାଇଁ ହୋଇଥିଲେ ମୋଟା
ଅନନ୍ତା ଏଭଳି ଏକ ଚରିତ୍ର ଯିଏ ଖୁବ ଅଧିକ ଖାଇବା ସହିତ ଅନ୍ୟମାନଙ୍କ ବାଡିରେ ପଶି ମଧ୍ୟ ଖାଇଦେଇଥାଏ । ତେଣୁ ଏଥିପାଇଣ ଅନନ୍ତା ଚରିତ୍ରରେ ଅଭିନୟ କରିବାକୁ ହେଲେ ସବ୍ୟସାଚୀଙ୍କୁ ଖୁବ ମୋଟା ହେବାକୁ ପଡିଥିଲା । ତାଙ୍କର ଓଜନ ୭୫ କେଜିରୁ ଯାଇ ୧୦୫ କେଜିରେ ପହଞ୍ଚିଥିଲା । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ତେବେ ଚରିତ୍ରକୁ ନ୍ୟାୟ ଦେବା ପାଇଁ ସେ ଏଭଳି ରିସ୍କ ନେଇଥିଲେ । ତାଙ୍କର ଏଭଳି ପରିଶ୍ରମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି, ତେଣୁ ଫିଲ୍ମ ସଫଳ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି ।

ନାଁକୁ ନେଇ ବିବାଦ
ରାଣ୍ଡି ପୁଅ ଅନନ୍ତା ନାଁ କୁ ନେଇ ଓଡ଼ିଶାରେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ଅନେକ ଏହି ନାଁ କୁ ବିରୋଧ କରିଥିଲେ । ରାଣ୍ଡିର ଅର୍ଥକୁ ସେମାନେ ଗାଳି ସହିତ ତୂଳନା କରିଥିଲେ । ହେଲେ ପରେ ଏହି ବିବାଦ ସମାଧାନ ହୋଇଥିଲା । ବ୍ୟସକବି ଫକୀର ମୋହନ ସେନାପତିଙ୍କର କାଳଜୟୀ ଲେଖାକୁ ଅବମାନନା କରାଯାଇ ପାରିବ ନାହିଁ ବୋଲି ଅନେକ ମତ ଦେଇଥିଲେ ।

ଫାଷ୍ଟ ଲଭ୍‌
ରଜରେ ପରଦାରେ ଏକ ଲଭ୍‌ ଷ୍ଟୋରୀ ମଧ୍ୟ ରିଲିଜ୍‌ ହେବ, ଯାହାକୁ ନେଇ ଦର୍ଶକଙ୍କ ଭିତରେ ଖୁବ ଆଗ୍ରହ ରହିଛି । ଏହି ଫିଲ୍ମଟି ଜି ସାର୍ଥକର ପ୍ରଥମ ଥିଏଟର ରିଲିଜ୍‌ । ଏଥିରେ ଦର୍ଶକ ଶୈଳେନ୍ଦ୍ର ଓ ଦିବ୍ୟା ମହାନ୍ତିଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ପାଇବେ । ଏଥିରେ ଅନ୍ୟ ମାନଙ୍କ ଭିତରେ ଉସସି ମିଶ୍ର, ସୁଭ୍ରାଂଶୁ, ମିଲି ମହାନ୍ତି, ବୁଲୁ ପଣ୍ଡା ଆଦିଙ୍କୁ ଦେଖିବାକୁ ମିଳିବ । ଶୈଳେନ୍ଦ୍ର ଖୁବ ଭଲ ନୃତ୍ୟ ଶିଳ୍ପୀ ହୋଇଥିବାରୁ ସମସ୍ତେ ଏହି ଫିଲ୍ମରୁ କିଛି ଭଲ ଡ୍ୟାନ୍ସ ନମ୍ବର ଆଶା ରଖିଛନ୍ତି । ସେହିଭଳି ଦିବ୍ୟାଙ୍କ ସହିତ ସେ ତୃତୀୟ ଥର ପାଇଁ ସ୍କ୍ରିନ ସେୟାର କରୁଛନ୍ତି । ଉଭୟଙ୍କ କେମେଷ୍ଟ୍ରୀ ଆଗରୁ ଖୁବ ଭଲ ଜମିଛି, ଏଥର ମଧ୍ୟ ଏହି ଫିଲ୍ମରେ ଭଲ ରହିବ ବୋଲି ମେକର୍ସ ଆଶା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅଭିଷେକ ମିତ୍ର ତୂଲାଇଛନ୍ତି । ରଜରେ ଏହି ସିନେମା ଦେଖି ଦର୍ଶକ ରଜକୁ ଉପଭୋଗ କରିବେ ବୋଲି ମେକର୍ସ ଆଶା ରଖିଛନ୍ତି ।

Govt

Comments are closed.