କଟକି ରଜ

ରଜ ଓଡ଼ିଆ ଜନଜୀବନର ବାର୍ତ୍ତାବହ ପାର୍ବଣ । ଦଶହରା ପରେ ସହର ସଂସ୍କୃତିରେ ବିଶେଷକରି କଟକରେ ରଜର ସ୍ଥାନ ନିଆରା । କେବଳ ଗ୍ରାମାଞ୍ଚଳ ନୁହେଁ କଟକ ପରି ସର୍ବବୃହତ ସହରରେ ରଜ ନିଜର ସ୍ୱତନ୍ତ୍ରତା ବଜାୟ ରଖିଥାଏ । ହଜାର ବର୍ଷର ସହର କଟକ । ଦଶହରା, ବାଲିଯାତ୍ରା ପରେ କଟକରେ ରଜ ଏକ ମହା ଯାକଜମକର ପାର୍ବଣ କହିଲେ ଅତ୍ୟୁକ୍ତି ହେବନାହିଁ । ବଜାରରେ ତ ସହଯେ ରଜର ଢ଼େର ପୂର୍ବରୁ ଗହଳି । ରଜ ପୋଡ଼ପିଠା ଠାରୁ ପାନ, ଦୋଳି ଖେଳ ଠାରୁ ପୁଚି ଖେଳ, ଫିଲ୍ମ ଦେଖା ଠାରୁ ବନ୍ଧୁଙ୍କ ସହ ଗମାତ ଆଉ ଖାସି ମାଂସର ତର୍କାରି ଭିତରେ ରଜ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ପିଲାଦିନରେ ବାପାଙ୍କ ସହ ରଜ ବୁଲିଛି । ହେତୁ ପାଇବା ପରେ ଜେଜଙ୍କ ସହରରେ ରଜ ବୁଲା ଭିତରେ ଝାପ୍‌ସା ମନେପଡ଼ୁଛି ଅନେକ କାହାଣୀର କଥା । ଚାନ୍ଦିନୀଚୌକରେ ଥିଲା ବସ୍‌ଷ୍ଟାଣ୍ଡ । ପ୍ରକାଣ୍ଡକାୟ ବରଗଛ ମୂଳେ ରୁବୁ ମିଆଁର ଖାସି ମାଂସ ତାହା ପୁଣି ତାଳଗଛ ପତ୍ରରେ ପ୍ୟାକିଂ ହେଉଥିଲା । ପୋଡପିଠାର ବାସ୍ନା ସହର ସାରା ବାସର ସୁରଭି ମେଲାଇ ଥିବାବେଳେ ସହର ଭିତରେ ଅନେକ ପୋଖରୀ ଗାଡ଼ିଆ ଭିତରେ ମାଛ ଧରା ହୋଇ ଘରେ ଘରେ ରନ୍ଧା ହେଉଥିଲା । ସେତେବେଳେ କଟକ ସହର ନଥିଲା, ଥିଲା ଏକ ଗାଁ । ମହାନଦୀର ଫ୍ୟାରେଦ ରୋଡ଼ରେ ଝିଅ ଝିଆଣୀମାନେ ଆସୁଥିଲେ ରଜ ବୁଲିବାକୁ । ସେତେବେଳେ କେଉଁ ଫିଲ୍ମ ହଲ ଥିଲା ନା କେଉଁ କେବୁଲ ଟିଭିରେ ଫିଲ୍ମ ଦେଖା । ନାଟକ ଦେଖା ଭିତରେ ଖୋଜା ପଡ଼ୁଥିଲା ଯାତ୍ରା ସୁଆଙ୍ଗ, ରାମଲୀଳା ଠାରୁ ଚମ୍ପୁର ଗାଆଣ ବଜାଣ । ହେଲେ ସେ ସବୁ ବର୍ତ୍ତମାନ ଇତିହାସର କାହାଣୀ । ବର୍ତ୍ତମାନର ରଜକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ସହର ସାରା ପ୍ରକାଣ୍ଡକାୟ ସପିଂ ମଲ୍‌ର ଡ୍ରେସ୍‌ ସୋରୁମ୍‌ ଭିତରେ ହଜିଯାଉଛି ରଜ ସମୟର ସେଦିନର କାସ୍ଥାଲୁଗା, ତନ୍ତୁବୁଣା ଶାଢ଼ୀ ନହେଲେ କଲିକତି ଗାମୁଛାା ସତରେ କୁଆଡ଼େ ଗଲା ସେଦିନର ରଜ ?
ସହର ସାରା ଭର୍ତ୍ତି ହୋଇଥିଲା ନାଲି ଗୋଡ଼ିରାସ୍ତା । ତଥାପି ବନ୍ଧୁବାନ୍ଧବଙ୍କ ସଙ୍ଖୁଳିବାର ଦିବସ ରଜ ନିଜର ପରିଚୟକୁ ହରାଇନାହିଁ । ବନ୍ଧୁବାନ୍ଧବ ଖୋଜା ପଡ଼ୁଥିଲେ ଏହି ଦିନରେ । ଆସୁଥିଲେ ବାଡ଼ିବଗିଚାର ଫଳଫୁଲୁରୀ ସହ ନିଜ ଅଞ୍ଚଳର ନାମଜାଦା ଜିନିଷ ନେଇ ବନ୍ଧୁଘରକୁ । ହେଲେ ବର୍ତ୍ତମାନ ମିଠା ଦରବ ଭିତରେ ଏଟିଏମ୍‌ରୁ ଟଙ୍କା ଉଠା ହୋଇ କ୍ଷଣିକ ଭିତରେ ରଜର ବେଭାର ଭର୍ତ୍ତି ହୋଇଯାଉଛି । କ ୍ୱଚିତ୍‌ ବସ ମୁଣ୍ଡ ଟେକି ଯାଉଥିଲେ ଚାନ୍ଦିନୀଚୌକ ଛକକୁ । ଖାଲି ପାଦରେ ଚାଲି ଚାଲି ଯିବାକୁ ପଡ଼ୁଥିଲା ଢ଼େର ବାଟ । ତେବେ କଟକ ସହରରେ ଅନେକ ସ୍ଥାନରେ ପ୍ରକାଣ୍ଡକାୟ ବରଓହଳ ଭିତରେ ତିଆରି ହେଉଥିଲା ରଜ ଦୋଳି । ଝିଅଝିଆଣୀମାନେ ସେଇଠି ହିଁ ସାରି ଦେଉଥିଲେ ଗୋଟିଏ ଦିନ । ମଜାମଜଲିସ୍‌ ଭିତରେ ଖୋଜା ପଡ଼ୁଥିବା ରଜ ବର୍ତ୍ତମାନକୁ ଦେଖିଲେ ମନେପଡ଼ୁଛି ଢ଼େର କଥା । ମହାନଦୀ ଓ କାଠଯୋଡ଼ିରେ ଏହାଭିତରେ ବିତିଗଲାଣି ଅନେକ ଦିନ । ଦୁଇଟି ନଈର ସୁଅରେ ବୋହିଗଲାଣି ଅନେକ ପାଣି ତଥାପି ଖୋଜା ପୁଡ଼ୁଛି ସେଦିନର ସମୟକୁ । ରଜରେ ଖାଲି କଟକିଆଣୀ ହାତରେ ତିଆରି କରୁଥିଲା ପୋଡପିଠା, କାକରା, ବିଭିନ୍ନ ପିଠାପଣା ସହ ରଜର ଖାନଦାନୀ ସାଗୁଆତିର ଝୋଳ । ସପରିବାର ସହ ମଜା କାଟିବା ଭିତରେ ଝିଅଝିଆଣୀଙ୍କ ଗହଳ ଖୁସିର ମାହୋଲକୁ ବଢ଼ାଇ ଦେଉଥିଲା । ହେଲେ ସତରେ କୁଆଡ଼େ ଗଲା ସେ ଦିନଗୁଡ଼ା ? କଟକର ଦୁଇ ପଟରେ ଥିବା ମସ୍ତବଡ଼ ପଡ଼ିଆରେ କଟକିଆ ଯୁଆନ ଭେଣ୍ଡା ଟୋକାମାନେ ବାଗୁଡ଼ି ଖେଳରେ ତିନିଦିନ ନିଜକୁ ହଜାଇ ଦେଉଥିଲେ । ବର୍ତ୍ତମାନ ବାଗୁଡ଼ି ଖେଳ କଥା କହିଲେ ସମସ୍ତେ ଥରେ ଚିନ୍ତା କରିବେ ସତରେ ଏ ଜିନିଷଟି କ’ଣ ? ତଥାପି ରଜ ନିଜର ଗୌରବ ହରାଇନାହିଁ ।
କଟକି ସଂସ୍କୃତିରେ ଭାଇଚାରାର ସହର ଭିତରେ ହଜାରେ ବର୍ଷର ପରମ୍ପରାକୁ ନେଇ ଗଢ଼ି ଉଠିଥିବା ରଜ ପାର୍ବଣ ଦଶହରା ଓ ବାଲିଯାତ୍ରା ପରେ ଅନ୍ୟତମ ମହାପାର୍ବଣ ରୂପରେ ନିଜର ସ୍ଥାନ ସ୍ୱତନ୍ତ୍ର ଭାବରେ ଗଢ଼ି ତୋଳିଛି । କଟକରେ ରଜ ସହର ନୁହେଁ ବରଂ ଗ୍ରାମ୍ୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ । ସଂସ୍କୃତି ଓ ପରମ୍ପରା ଭିତରେ ମାଆ ଗଡ଼ଚଣ୍ଡୀ, କଟକଚଣ୍ଡୀ, କାଳିଗଳି କାଳୀ ଓ ଗତେଶ୍ୱର ମହାଦେବଙ୍କୁ ନେଇ ପୂଜା ନୈବେଦ୍ୟ ଅର୍ପଣ କରିବାକୁ ରଜରେ କେହିବି ଭୁଲି ନଥାନ୍ତି । କର୍ମକ୍ଲାନ୍ତ ଜୀବନ ଭିତରେ ବିଶ୍ରାମର ଅବକାଶ ସୃଷ୍ଟି କରିଥାଏ ରଜ । ପ୍ରାଚୀନ ସଂସ୍କୃତିର ଗୌରବ ଗାଥାକୁ ବଜାୟ ରଖି ସ୍ୱତନ୍ତ୍ର ଭାବରେ ବନ୍ଧୁମେଳନର ଓ ମିତଣୀଙ୍କୁ ଭେଟ କରିବାର ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ ଏହି ରଜ ।
ଡାକ୍ତର ସମ୍ରାଟ କର
ମୋ ୯୧୩୨୪୩୩୩୩୩

Govt

Comments are closed.