ଆଜି ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ,ବରମୁଣ୍ଡା ପଡିଆରେ ଆୟୋଜିତ ବିଶାଳ ଜନ ସମାବେଶକୁ ଦେବେ ଉଦବୋଧନ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ୨୦୨୪ ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କର ଏହା ପ୍ରଥମ ଓଡିଶା ଗସ୍ତ । ରାହୁଲ ଗାନ୍ଧୀଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଭୁବନେଶ୍ବର ଆସିବେ । ଦିନ ସାଢେ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ ରାହୁଲ । ସେଠାରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦବୋଧନ।

ରାହୁଲ ଗାନ୍ଧୀଙ୍କ ଗସ୍ତ ପାଇଁ ଆଜି ବିମାନବନ୍ଦର ଛକରୁ ଜୟଦେବ ବିହାର ଛକ ଯାଏଁ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବେ । ଏଥି ପାଇଁ ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ। ରାହୁଲ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ସଭା ସରିବା ପରେ ଚାଷୀଙ୍କ ଦୁଇ ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତ ଚରଣ ଦାସ ବରମୁଣ୍ଡା ଯାଇ ସଭାସ୍ଥଳ ପରିଦର୍ଶନ କରିଛନ୍ତି।

ରାହୁଲଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାହୁଲ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସିଧା ବରମୁଣ୍ଡା ପଡ଼ିଆକୁ କାରକେଡ୍ କରି ଅଣାଯିବ। ସେଥିପାଇଁ ମୁତୟନ ହେବେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ। ୧୧ ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି ଓ ୪୭ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। ବରମୁଣ୍ଡା ପଡ଼ିଆରେ ମଧ୍ୟ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବି ବ୍ୟବସ୍ଥା କରାଯାଇଛି।

ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ । ରାଜନୈତିକ ବ୍ୟାପାର କମିଟି ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ।ତେଣୁ ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି ହେବାକୁ ଯାଉଛି।

Govt

Comments are closed.