ମୁମ୍ବାଇ: ବଲିଉଡ୍ ଫିଲ୍ମ ଷ୍ଟାର ସନି ଦେୱଲ ପୁଣି ଥରେ ସିଲଭର ସ୍କ୍ରିନରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତି କରୁଛନ୍ତି । ସେ ଶେଷ ଥର ପାଇଁ ୨୦୧୯ରେ ରିଲିଜ୍ ଫିଲ୍ମ ବ୍ଲାଙ୍କ୍ରେ ନଜର ଆସିଥିଲେ । ଏବେ ତାଙ୍କର ନୂଆ ଫିଲ୍ମ ଚୁପ୍: ଦ ରିଭେଞ୍ଜ୍ ଅଫ୍ ଦ ଆର୍ଟିଷ୍ଟ୍ର ମେଗା ଘୋଷଣା ହୋଇଛି । ସନି ଦେୱଲ ଏଥର ଆକ୍ସନ ନୁହେଁ ବରଂ ସାଇକୋ ଥ୍ରୀଲର ଫିଲ୍ମ ନେଇ ପରଦାକୁ ଆସୁଛନ୍ତି । ଫିଲ୍ମର ଘୋଷଣା ଅବସରରେ ଏକ ଭିଡିଓ ତଥା ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଭିଡିଓରେ ମହାନ ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ଦତ୍ତଙ୍କ ଫଟୋ ଏବଂ ବ୍ୟାକ୍ଗ୍ରାଉଣ୍ଡରେ ଫିଲ୍ମ ପ୍ୟାସାର ଗୀତ ୟେ ଦୁନିଆ ଅଗର୍ ମିଲ୍ ଭି ଜାଏ ତୋ କ୍ୟା ହୈ ଦେଖିବାକୁୁ ମିଳିିଛି । ସୂଚନା ଅନୁଯାୟୀ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଆର୍ ବାଲକୀ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ଯାହା ଗୁରୁଦତ୍ତଙ୍କ ଜୀବନୀରୁ ପ୍ରେରିତ ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଜଣାପଡ଼ିନି କି ଏହି ଫିଲ୍ମ ଦୁରୁଦତ୍ତଙ୍କ ଜୀବନ କାହାଣୀ ଉପରେ ଆଧାରିତ ହେବ କି ଗୁରୁଦତ୍ତଙ୍କ କୌଣସି ଏକ ଫିଲ୍ମର ରିମେକ୍ । ଚୁପ୍ ଫିଲ୍ମକୁ ଆର ବାଲକୀ ଲେଖିଥିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ । ଏହି ଫିଲ୍ମରେ ସନି ଦେୱଲଙ୍କ ସହ ମଲୟାଲମ ଫିଲ୍ମର ସୁପରଷ୍ଟାର ମମୁଟିଙ୍କ ପୁଅ ଦଲକ୍ୱିର ସଲମାନ ନଜର ଆସିବେ । କେବଳ ଏତିକି ନୁହେଁ ଫିଲ୍ମରେ ପୂଜା ଭଟ୍ଟ ଏବଂ ଶ୍ରେୟା ଧନୱନ୍ତରୀ ମଧ୍ୟ ଅଭିନୟ କରିବେ । ଫିଲ୍ମଟି ଆଗାମୀ ବର୍ଷ ୨୦୨୨ରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି । ଫିଲ୍ମର ଟିଜରକୁ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ସେୟାର କରି ସ୍ୱାଗତ ଜଣାଇଛନ୍ତି । ଗୁରୁଦତ୍ତ ସର୍ବଦା ସଂସ୍କୃତି ତଥା ଧାର୍ମିକ କ୍ଲାସିକ ଫିଲ୍ମ ନିର୍ମାଣକୁ ନେଇ ସିନେମା ଜଗତରେ ପ୍ରସିଦ୍ଧି ଲାଭ କରିଛନ୍ତି । ଚୌଦଭିଂ କା ଚାନ୍ଦ, ସାହେବ ବିବି ଔର ଗ୍ୟାଙ୍ଗଷ୍ଟର, କାଗଜ କା ଫୁଲ୍ ଏବଂ ପ୍ୟାସା ପରି ଫିଲ୍ମ ନିର୍ମାଣ କରି ହିନ୍ଦୀ ସିନେପ୍ରେମୀଙ୍କୁୁ ଏକ ନୂଆ ଧାରା ଭେଟି ଦେଇଥିଲେ । ଏହା ବ୍ୟତୀତ ସେ ଜଣେ ବର୍ଷିଆନ ଅଭିନେତା ଥିଲେ । ଆଜି ବି ତାଙ୍କ ଫିଲ୍ମ ବେଶ୍ ପ୍ରଶଂସନୀୟ ହୋଇ ରହିଛି । ସେପଟେ ସନି ଦେୱଲ ଏବେ ଫିଲ୍ମ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ଗଦର-୨କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିସହ ସନି ବାପା ଧର୍ମେନ୍ଦ୍ର ଏବଂ ପୁଅ କରଣଙ୍କ ସହ ଫିଲ୍ମ ଅପନେ-୨କୁ ନେଇ ବ୍ୟସ୍ତ ଅଛନ୍ତି ।

Comments are closed.