ଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୋଲାଣ୍ଡରେ ୟୁକ୍ରେନର ଶରଣାର୍ଥୀଙ୍କୁ ଭେଟିଛନ୍ତି । ୟୁନିସେଫ୍ ଦ୍ୱାରା ସଞ୍ଚାଳିତ କନଭେନସନ ସେଣ୍ଟରରେ ସେ ଏହି ଶରଣାର୍ଥୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ୟୁକ୍ରେନର ମହିଳାମାନଙ୍କ ସହ ସେମାନଙ୍କ ଦୁଃଖ ଯନ୍ତ୍ରଣା ବାଣ୍ଟିଛନ୍ତି । ଏହା ସହିତ ପ୍ରିୟଙ୍କା ପିଲାମାନଙ୍କ ସହ ବେଶୀ ସମୟ ବିତାଇଛନ୍ତି । ସେଠିକାର ସ୍ଥିତି ବିଷୟରେ ଜାଣି ସେ ଭାବପ୍ରବଣ ହୋଇ ପଡିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରିୟଙ୍କା ଦୀର୍ଘ ୧୫ ବର୍ଷ ହେବ ୟୁନିସେଫ୍ ସହ ଜଡିତ ଅଛନ୍ତି । ସେ ଜାତିସଂଘର ଏହି ସଂସ୍ଥା ଜରିଆରେ ଲଗାତର ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ଜଡିତ ରଖିଛନ୍ତି । ଏବେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ପ୍ରିୟଙ୍କା ପୋଲାଣ୍ଡ ସ୍ଥିତ ଏହି କନଭେନସନ ସେଣ୍ଟରରେ ପହଞ୍ଚି ଏଠିକାର ମହିଳା ଓ ଶିଶୁଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସହ ଦୁଃଖ ବାଣ୍ଟୁଛନ୍ତି । ଋଷିଆର ଘନ ଘନ ଆକ୍ରମଣ ମଧ୍ୟରେ ୟୁକ୍ରେନର ଏହି ନାଗରିକ ଏହି ଶିବିରରେ ଆଶ୍ରୟ ନେଇଛନ୍ତି । ଏଠାରେ ସବୁ ବୟସର ଲୋକମାନେ ରହିଛନ୍ତି । ପ୍ରିୟଙ୍କା ସମସ୍ତଙ୍କୁ ଭେଟିଛନ୍ତି ଓ ବିଶେଷ କରି ପିଲାମାନଙ୍କ ସହ ଅଧିକ ସମୟ ବିତାଇଛନ୍ତି ।

କେବଳ ଏତିକି ନୁହେଁ ସେ ଶରଣାର୍ଥୀଙ୍କ ସହ ମିଶି କ୍ରାଫଫ ମଧ୍ୟ ତିଆରି କରିଛନ୍ତି । କିଛି ପିଲା ପ୍ରିୟଙ୍କାଙ୍କୁ ସେମାନଙ୍କ ହାତରେ ତିଆରି କରିଥିବା ଖେଳନା ଉପହାର ଦେଇଛନ୍ତି । ଶିବିରରେ କାଟିଥିବା ସମୟର ଭିଡିଓ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ଏହା ବିଶ୍ୱର ସବୁଠାରୁ ବୃହତ୍ତ ମାନବ ବିସ୍ଥାପନ । ଏହା ସହ ଏମାନଙ୍କ ଜୀବନରେ ଖୁସି ଫେରାଇ ଆଣିବାକୁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

Comments are closed.