ନୂଆଦିଲ୍ଲୀ: ମଇ ୨୫: ମହଙ୍ଗା ମାଡରୁ ସାମାନ୍ୟ ରକ୍ଷା ପରେ ସାଧାରଣଜନତାଙ୍କ ପାଇଁ ଆଉ ଏକ ଖୁସି ଖବର । ଖାଇବା ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ଏନେଇ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି । କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି । ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ବାର୍ଷିକ ୨୦ ଲକ୍ଷ ବାରେଲ୍ ଅଶୋଧିତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଆମଦାନୀକୁ ଅନୁମତି ପ୍ରଦାନ କରାଯାଇଛି । ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଡ୍ୟୁଟି ମୁକ୍ତ ଆମଦାନୀ କରିହେବ । ଖାଇବା ତେଲର ଅହେତୁକ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସକରାର ଟିକସ ଛାଡ୍ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକତାର ୬୦% ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ ଭାରତ ଆମଦାନୀ କରେ । ମୁଖ୍ୟତଃ ୟୁକ୍ରେନରୁ ସୂର୍ଯ୍ୟମୁଖି ତେଲ ଆମଦାନୀ ହୁଏ । ତେବେ ଯୁଦ୍ଧ ପାଇଁ ଅନେକ ଜିନିଷ ମହଙ୍ଗା ହେବାସହ ଏହାର ପ୍ରଭାବ ମଧ୍ୟ ପଡ଼ିଥିଲା । ସୂଚନାଥାଉ କି, ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମାଇଥିଲେ । ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା ।

Comments are closed.