ଓଡ଼ିଶାରେ ପହଁଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯାଇଛି।

ସେଠାରୁ ସେ ବାୟୁସେନାର ହେଲିକପ୍ଟର ଯୋଗେ ପୁରୀ ଯିବେ। ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବା ପରେ କାର୍କେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ। ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଏବଂ ସେଠାରୁ ସିଧା ରାଜଭବନ ବାହାରିବେ। ୧୨ଟାରେ ରାଜଭବନରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ଅପରାହ୍ନ ୨ଟା ୧୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ। ଦିନ ୨ଟା ୫୦ରେ ଭୁବନେଶ୍ବରରେ ପହଞ୍ଚି ୩ଟା ୧୫ରୁ ୪ଟା୧୫ଟା ମଧ୍ୟରେ ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି ।

ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭୁବନେଶ୍ୱରରେ ଦିନ ଗୋଟାଏ ଠାରୁ ଛୁଟି ଘୋଷଣା କରାଯାଇଛି I ସମସ୍ତ ସରକାରୀ ଅଫିସ ସହିତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ I ଏ ନେଇ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି I ରାଷ୍ଟ୍ରପତିଙ୍କ ଆସିବା ନେଇ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ରାଷ୍ଟ୍ରପତିଙ୍କ ଆସିବା ନେଇ ସଜେଇ ହୋଇଛି । ୧୯୭୦ରୁ ୭୪ ଯାଏଁ ଏଠାରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ସେହି ହଷ୍ଟେଲରେ ରହୁଥିଲେ । ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲ୍‌ରେ ପଡ଼ିବ । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ଏଠାକୁ ଆସିବାକୁ ଥିବା ବେଳେ, ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କର ସ୍ୱାଗତ ପ୍ରସ୍ତୁତି ରହିଛି । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍‌କୁ ବି ସଜାଯାଇଛି । ସେ ଶୋଉଥିବା ଖଟକୁ ବି ସେଠି ରଖାଯାଇଛି । ଦ୍ରୌପଦୀ ମୁର୍ମୁ ନିଜ ପିଲାଦିନର ୧୩ ଜଣ ସହପାଠିନୀ ଭେଟିବାର କାର୍ଯ୍ୟକ୍ରମ ବି ରହିଛି । ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଉତ୍ସାହିତ ଥିବା ବେଳେ, କରୋନା ସତର୍କତା ଭାବେ ୧୧୩ ଜଣଙ୍କର RTPCR ଟେଷ୍ଟ୍ ହୋଇଛି ।

Comments are closed.