ପୁରୀ: ରାତି ପାହିଲେ ପ୍ରଥମାଷ୍ଟମୀ। ଓଡିଆ ଘରର ପରମ୍ପରା ଅନୁସାରେ, ପରିବାରର ଜ୍ୟଷ୍ଠ ସନ୍ତାନ ପଢୁଆଁ ହେବେ। ୧୨ ମାସରେ ୧୩ ପର୍ବ ପରି ଶ୍ରୀମନ୍ଦିରରେ ମଧ୍ୟ ହେବ ପ୍ରଥମାଷ୍ଟମୀ ସ୍ବତନ୍ତ୍ର ନୀତିକାନ୍ତି। ପଢୁଆଁ ହେବେ ବଡଠାକୁର ଶ୍ରୀ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ପରମ୍ପରା ଅନୁସାରେ, ଜଗନ୍ନାଥଙ୍କ ମାମୁଁଘର ଭାବେ ଖ୍ୟାତ ନିଆଳିର ଶ୍ରୀ ମାଧବାନନ୍ଦଜୀଉ ପୀଠରୁ ଆସି ପହଂଚିଛି ପ୍ରଥମାଷ୍ଟମୀ ଭାର ବା ‘ପଢୁଆଁ ଭାର’।
ଆଜି ସକାଳୁ ମାଧବାନନ୍ଦପୀଠରେ ଦେଖିବାକୁ ମିଳିଥିଲା ଭକ୍ତିମୟ ପରିବେଶ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଉଥିବା ଭାର ଶୋଭଯାତ୍ରାରେ ନିଜକୁ ସାମିଲ କରିଥିଲେ। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।
ନିଆଳିରୁ ପ୍ରଭୁ ମାଧବାନନ୍ଦଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦିଆଯାଇଥିଲା।
ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦଜୀଉ ବୋଲି ଉଲ୍ଳେଖ ରହିଛି। ତେବେ ବହୁ ପୂର୍ବରୁ ଏହି ପୋଢ଼ୁଆଁ ଭାର ଆସୁଥିଲା। କିନ୍ତୁ କେତେକ ସମସ୍ୟା ଯୋଗୁଁ ଏହା ଆସି ପାରିନଥିଲା। ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକ ମାନେ ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଥିବା ବେଳେ ଶ୍ରୀକ୍ଷେତ୍ରରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଇଥାଏ ।

Comments are closed.