ପାଟନା: ଜନ ସୁରାଜ ପାର୍ଟି ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ମଙ୍ଗଳବାର ଦିନ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଦଳର ୩ ଜଣ ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରୁ ଓହରିଯିବାପାଇଁ ବିଜେପି ବାଧ୍ୟ କରିଛି। ଶାସକ ଦଳ ଚାପରେ ୩ ଜଣ ଜନ ସୁରାଜ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ କିଶୋର ଏଥିପାଇଁ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇଛନ୍ତି। ଜନ ସୁରାଜ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାରୁ ଉଭୟ ଶାହ ଏବଂ ଧର୍ମେନ୍ଦ୍ର ପ୍ରଧାନ ଅଟକାଉଥିବା ସେ ଅଭିଯୋଗ କରିଛନ୍ତି। କିଶୋର ଅଭିଯୋଗ କରିଛନ୍ତି ଯେ ଦାନାପୁରରେ ତାଙ୍କ ପ୍ରାର୍ଥୀ ମୁଟୁର ଶାହଙ୍କୁ ଅମିତ ଶାହ ଅଟକାଇ ରଖିବାରୁ ସେ ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି। ତେବେ ବିଜେପି ଏଥିପାଇଁ ଆର୍ଜେଡିକୁ ଦାୟୀ କରିଛି। ପ୍ରଶାନ୍ତ କିଶୋର କହିଛନ୍ତି, ଆମ ପ୍ରାର୍ଥୀମାନଙ୍କୁ ଶେଷ ଥର ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦେଖିବାକୁ ମିଳିଥିଲା। ନିର୍ବାଚନ କମିସନ କେଉଁଠି ଅଛନ୍ତି। ଉକ୍ତ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
