ରାଜ୍ୟରେ ଖରା ଆରମ୍ଭରୁ ଡରାଉଛି ବିଜୁଳିକାଟ

ଭୁବନେଶ୍ୱର: ଅପ୍ରେଲ ୧୬: ରାଜ୍ୟରେ କମୁନି ବିଜୁଳି ସମସ୍ୟା । ଖରା ଆରମ୍ଭରୁ ହିଁ ଲୋକଙ୍କୁ କନ୍ଦାଉଛି ବିଜୁଳି କାଟ। ଯେତେବେଳେ ଇଚ୍ଛା କରେଣ୍ଟ କାଟିଦେଉଛନ୍ତି ବିତରଣ କମ୍ପାନି । କୋଇଲା ଅଭାବରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଲାଣି ବିଜୁଳି ସଙ୍କଟ ।ହେଲେ ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଲେଣି ଉପଭୋକ୍ତା ଓ ବିଶେଷଜ୍ଞ । ପାୱାର ଆନାଲିସିଷ୍ଟଙ୍କ ମତରେ, ରାଜ୍ୟରେ ପିକ୍ ଓ ଅଫ୍-ପିକ୍ ବିଜୁଳି ଚାହିଦାରେ ବଡ଼ ପାର୍ଥକ୍ୟ ରହୁଛି । ଏଣୁ ବିଦ୍ୟୁତ୍ ଯୋଗାଣ ନିରନ୍ତର ହୋଇପାରୁନି । ଉପଭୋକ୍ତା ସଂଘ କହୁଛି, ଯଦି ବିଜୁଳି କାଟ ହେଉଛି, ତାହାହେଲେ ଏଥିପାଇଁ ବିଦ୍ୟୁତ୍ ସଂଚାରଣ ଓ ବିତରଣ କମ୍ପାନି ସମ୍ପୂର୍ଣ୍ଣ ଭାବେ ଦାୟୀ । ଶିଳ୍ପ ସଂଘ କହିଲାଣି, ସରକାର ଏବେଠୁ ବ୍ୟବସ୍ଥା ନ କଲେ, ଆଗକୁ ବଢ଼ିବ ବିଜୁଳି କାଟ, ଏମଏସଏମଇରେ ତାଲା ପଡ଼ିବ । କୋଇଲା ଅଭାବରୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଉତ୍କଟ ହୋଇଛି ବିଜୁଳି ସଙ୍କଟ । ଗ୍ରୀଷ୍ମ ଆରମ୍ଭରୁ ଦେଶର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକରେ କୋଇଲା ମହଜୁଦ୍, ୯ ବର୍ଷର ସର୍ବନିମ୍ନ ସ୍ତରକୁ ଚାଲିଆସିଛି । ଅନ୍ୟପଟେ ଏବର୍ଷ ବିଦ୍ୟୁତ୍ ଚାହିଦା ଅଭିବୃଦ୍ଧି ୩୮ ବର୍ଷରେ ସର୍ବାଧିକ ରହିବ ବୋଲି ଆକଳନ କରାଯାଉଛି । ହେଲେ ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ ବିଦ୍ୟୁତ୍ କାଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଶେଷଜ୍ଞ ଓ ପଭୋକ୍ତା ସଂଘ । ସଂଘ କହିଛି, ରାଜ୍ୟର ପାୱାର ପ୍ଲାଣ୍ଟଗୁଡ଼ିକରେ ଅତିକମ୍ରେ ୧୫ ଦିନର କୋଇଲା ମହଜୁଦ ରହିବା କଥା । ହେଲେ ସେମାନଙ୍କ ପାଖରେ ଏବେ ମାତ୍ର ୨ ଦିନର ଷ୍ଟକ ରହିଛି । ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ନିକଟରେ ସମ୍ପୂର୍ଣ୍ଣ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଟାଟା ପାୱାର ହାତକୁ ଟେକିଦେଇଛନ୍ତି ରାଜ୍ୟ ସରକାର । ଏବେ ଅପେକ୍ଷା ରହିଛି, କେବେ ଓ କିଭଳି ବିଦ୍ୟୁତ୍ ବଣ୍ଟାରେ ସୁଧାର ଆଣୁଛି ଟାଟା ପାୱାର ।

Govt

Comments are closed.