ଓଡିଶା ଆସିବେ ପ୍ରଧାନମନ୍ତ୍ରୀ,ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ

ଭୁବନେଶ୍ୱର : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ପ୍ରଧାନମନ୍ତ୍ରୀ କେବେ ଓଡିଶା ଆସିବେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଜୁନ୍‌ ୧୧ କିମ୍ବା ୧୨ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ବୃହତ ବିଜୟ ସହ ଦୀର୍ଘ ବର୍ଷ ପରେ ରାଜ୍ୟରେ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି । ୨୦୨୪ ଜୁନ୍‌ ୪ ତାରିଖ ଦିନ ଘୋଷଣା ହୋଇଥିଲା ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ । ଏଥିରେ ୨୪ ବର୍ଷର ବିଜେଡି ସରକାର ବିପକ୍ଷରେ ଯାଇଥିଲା ଜନମତ । ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଢିଥିଲା । ୧୨ ଜୁନ୍‌ ୨୦୨୪ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ ।

ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରଣ କରିବ । ଏନେଇ ଜନତା ମଇଦାନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତେବେ କେବେ ଓ କେତେବେଳେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ,ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Govt

Comments are closed.