ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅନ୍ତର୍ଜାତୀୟ ତେଳ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । ତେଳ ଦର ବୃଦ୍ଧି ଯୋଗୁଁ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ତେଳ କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି । ପ୍ରଭାବରେ ଗତ ୧୫ ଦିନ ଧରି କଳାହାଣ୍ଡି ଜିଲ୍ଲାର ଘରୋଇ କମ୍ପାନିର ପେଟ୍ରୋଲ ଟାଙ୍କିଗୁଡ଼ିକ ବନ୍ଦ କରିଦେଇଛନ୍ତି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ରୁଷ – ୟୁକ୍ରେନ ଯୁଦ୍ଧ ପରେ ଏହାର ପ୍ରଭାବ ଭାରତରେ ପଡ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳ ଦର ବୃଦ୍ଧି ଘଟିଛି । ଏଥିଯୋଗୁଁ ଭାରତୀୟ ତେଳ ନିଗମ କମ୍ପାନିଗୁଡ଼ିକ କ୍ଷତି ସହିବା ଆରମ୍ଭ କରିଛନ୍ତି । ଲିଟର ପିଛା ପ୍ରାୟ ୧୦ରୁ ୧୫ ଟଙ୍କା କ୍ଷତି ହେଉଥିବା କମ୍ପାନିମାନେ ଦର୍ଶାଇଛନ୍ତି । ଫଳରେ, ଯେତିକି ପରିମାଣ ପେଟ୍ରୋଲ ଡିଜେଲ ଆସୁଥିଲା ଏଥିରେ ହ ୍ରାସ ପାଇଛି । ପେଟ୍ରୋଲ ଟ୍ୟାଙ୍କିଗୁଡ଼ିକ ଦେଉଥିବା ଚାହିଦା ଅନୁଯାୟୀ ଲଟ୍ ଆସିପାରୁ ନାହିଁ । ଆବଶ୍ୟକତା ଠାରୁ କମ୍ ଆସୁଥିବାରୁ ଏକପ୍ରକାର ତେଳ ସଙ୍କଟ ଦେଖାଦେଇଛି ।
କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୯୫ଟି ପେଟ୍ରୋଲ ପମ୍ପ୍ ରହିଛି । ସେଗୁଡ଼ିକ ମଧ୍ୟରୁ ଆଇଓସିଏଲର ୫୦ଟି, ବିପିସିଏଲ ର ୩୦ଟି, ଏଚପିି କମ୍ପାନିର ୧୫ଟି ପମ୍ପ୍ ରହିଛି । ସେହିଭଳି ଭବାନୀପାଟଣା ଓ କେସିଙ୍ଗାରେ ରିଲାଏନ୍ସ କମ୍ପାନିର ୨ଟି ପେଟ୍ରୋଲ ପମ୍ପ୍ ଥିବାବେଳେ ଏସ୍ଆର କମ୍ପାନିର ଜୟପାଟଣା, କେସିଙ୍ଗା ଓ ଜୁନାଗଡଠାରେ ୩ଟି ପମ୍ପ୍ ରହିଛି । ବର୍ତ୍ତମାନ ଜିଲ୍ଲାର ଘରୋଇ କମ୍ପାନିରେ ଥିବା ଏହି ୫ଟି ପମ୍ପ୍ ଗତ ୧୫ ଦିନ ଧରି ବନ୍ଦ ରହିଛି ।
ସେହିଭଳି ରାଷ୍ଟ୍ରାୟତ୍ତ ତେଳ କମ୍ପାନିଗୁଡ଼ିକରେ ଷ୍ଟକ୍ ସରିଲେ ସାମୟିକ ଭାବେ ପମ୍ପ ବନ୍ଦ ହେଉଥିବା ଦେଖିବାକୁ ମିଳୁଛି । ଷ୍ଟକ୍ ଆସିଲେ ପୁଣି କିଛି ଦିନ ପମ୍ପ୍ ଚାଲୁଛି । ଷ୍ଟକ୍ ଅପେକ୍ଷାରେ ପେଟ୍ରୋଲ ପମ୍ପଗୁଡ଼ିକ ନାକେଦମ ହେବାରେ ଲାଗିଛନ୍ତି । ସେହିଭଳି, ଗ୍ରାହକମାନେ ମଧ୍ୟ ହଟହଟା ହେଉଥିବା ଦେଖିବାକୁ ମିଳୁଛି । କମ୍ ପରିମାଣ ଷ୍ଟକ୍ ରହୁଥିବା ଯୋଗୁଁ ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକମାନଙ୍କର ଲମ୍ବା ଭିଡ଼ ଦେଖିବାକୁ ମିଳୁଛି । ତେବେ, ଭାରତ ରୁଷରୁ ତେଳ ଆମଦାନି ପରେ ଏହି ପରିସ୍ଥିତି ସୁଧୁରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Comments are closed.