ବିଏମସି କମିଶନରଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର : ଅସରାଏ ବର୍ଷାରେ ବେହାଲ ରାଜଧାନୀ ବାସୀ । ଘର ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ବିଶେଷକରି ଗତକାଲି ଭୁବନେଶ୍ୱରର ବଡ଼ଗଡ଼ ଏବଂ ଲକ୍ଷ୍ମୀସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା କୃତ୍ରିମ ବନ୍ୟା । ଏହାକୁ ନେଇ ଆଜି ହଟହଟା ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ । ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ କମିଶନର ବର୍ଷା ଜଳ ନିଷ୍କାସନ ସ୍ଥିତି ଅନଧ୍ୟାନ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ଘେରିଛନ୍ତି ।

ଗତକାଲି ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ବଡ଼ଗଡ଼ ଓ ଲକ୍ଷ୍ମୀସାଗରରେ ତଳି ଅଞ୍ଚଳରେ ବର୍ଷାପାଣି ସହ ଅଳିଆ ଆବର୍ଜନା ଲୋକଙ୍କ ଘରେ ପଶିଥିଲା । ପ୍ରାୟ ୮ ରୁ ୧୦ ଫୁଟ୍ ଉଚ୍ଚର ପାଣି ଜମି ଏକ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି କରିଥିଲା । ରାତି ତମାମ ଲୋକେ ଜଳବନ୍ଦୀ ହୋଇ ରହିଥିଲେ । କେହି କେହି ହୋଟେଲ ବୁକ୍ ରହିବାକୁ ବାଧ୍ୟ ହୋଇଥିଲେ । ଅଗ୍ନିଶମ ବିଭାଗ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା । କେତେକ ସ୍ଥାନରେ ରାସ୍ତା ମଧ୍ୟ କଟାଯାଇଥିଲା ।

ଆଜି ସକାଳୁ ବିଏମସି କମିଶନର ଶ୍ରୀଯୁକ୍ତ ପାଟିଲ୍ ଗ୍ରାଉଣ୍ଡରେ ପହଁଚି ସ୍ଥିତି ପରଖିଥିଲେ । ଲକ୍ଷ୍ମୀସାଗର ଡ୍ରେନ୍ ନଂ-୬ ଓ ଦୟା ୱେଷ୍ଟ କେନାଲ ବୁଲି ଦେଖିଛନ୍ତି । ସିଟି ଇଞ୍ଜିନିୟରଙ୍କ ସହିତ ନେଇ ଆଲୋଚନା କରିଛନ୍ତି । କିନ୍ତୁ ଏହି ସମୟରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦା କମିଶନରଙ୍କୁ ଘେରି ଅଭିଯୋଗ କରିଥିଲେ ।ଏହି ସମୟରେ ଲୋକଙ୍କ ରାଗ ଚରମ ସୀମାରେ ପହଁଚିଥିବା ଦେଖିବାକୁ ମିଳିଥିଲା ।

ଦୟା ୱେଷ୍ଟ କେନାଲ ସମ୍ପୂର୍ଣ୍ଣ ଭରି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କମିଶନର କହିଛନ୍ତି । ବର୍ତ୍ତମାନ ଅସ୍ଥାୟୀ ଭାବରେ ଆଵର୍ଜନା ସଫା କରାଯାଇ ସମସ୍ୟାର ସମାଧାନ କରାଯିବ । ପରବର୍ତ୍ତୀ ସମୟରେ ସ୍ଥାୟୀ ସମାଧାନ କରାଯିବ ବୋଲି କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।

Govt

Comments are closed.