ସମ୍ବଲପୁର : ଭିମସାରକୁ ଆସୁଥିବା ରୋଗୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର(ଆର୍ଡିସି) ରହିଛି । ରୋଗୀମାନେ ନଖାଇପିଇ ରକ୍ତ ନମୁନା ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସିଲେ ବି ସକାଳ ୯ଟା ଆଗରୁ ତାହା ଖୋଲିବାର ନଜିର ନାହିଁ । ଏହା ଦ୍ୱାରା ବାଧ୍ୟ ହୋଇ ବହୁ ରୋଗୀ ଘରୋଇ ପରୀକ୍ଷା କେନ୍ଦ୍ରକୁ ଚାଲି ଯାଇଥାନ୍ତି । ୯ଟା ପୂର୍ବରୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ବଢ଼ି ଲମ୍ବି ଯାଇଥାଏ ।
ପୁରୁଷ ମହିଳା, ବରିଷ୍ଠ ନାଗରିକ, ଗୁରୁତର ରୋଗୀଙ୍କ ସକାଶେ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା ନାହିଁ । ପ୍ରତିଦିନ ୪୦୦ରୁ ୫୦୦ ବର୍ହିଃ ବିଭାଗ ରୋଗୀଙ୍କ ନମୁନା ପରୀକ୍ଷା କରାଯାଉଛି । ଏହା ବ୍ୟତୀତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫୦୦/ ୬୦୦ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥାଏ । ଏଠାରେ ସମସ୍ତ ପ୍ରକାର ରକ୍ତ, ମଳ ମୂତ୍ର ପରୀକ୍ଷା କରାଯାଉଛି । ତେବେ, ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଟେକ୍ନିସିଏନ, ନର୍ସ ,ଡାକ୍ତର ନଥିବା ବାରମ୍ବାର ଅଭିଯୋଗ ହେଉଛି । ଆରଡିସିରେ ୩୫ ଜଣ ଟେକ୍ନିସିଏନ ଜାଗାରେ ଏବେ ମାତ୍ର ୮ ଜଣ ଅଛନ୍ତି । ପ୍ରତିଦିନ ଏଠାରେ ପ୍ରାୟ ୨୦ ହଜାର ରକ୍ତ ନମୁନା ପରୀକ୍ଷା ହୋଇଥାଏ । ଅପରପକ୍ଷରେ ଜଣେ ମାତ୍ର ଠିକା ଟେକ୍ନିସିଏନ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳେ । ଲାଗିଥିବା ଲମ୍ବା ଲାଇନ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରର ଫାଟକ ପର୍ଯ୍ୟନ୍ତ ଲମ୍ବିଥାଏ ।
ସେଠାରେ ନା’ ପାନୀୟ ଜଳ କିମ୍୍ୱା ତାତିରୁ ରକ୍ଷା ପାଇଁ ପଙ୍ଖା ବ୍ୟବସ୍ଥା ଅଛି । କେବଳ ସେଠାରେ ମାଳ ମାଳ ସୁରକ୍ଷା କର୍ମୀ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳେ । ଏହି ସମ୍ବନ୍ଧରେ ଭିମ୍ସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କୁ ପଚାରିବାରୁ ସେ କହିଲେ, ଅତିରିକ୍ତ ୩୦ ଜଣ ଲେବ୍ ଟେକ୍ନିସିଆନ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏବେ ପ୍ରମାଣପତ୍ର ଯାଞ୍ଚ ଚାଲିଛି । ଏହି କାମ ସରିବା ପରେ ଶୀଘ୍ର ସେମାନଙ୍କୁ ନିଯୁକ୍ତ ଦିଆଯିବ । ଫଳରେ ରୋଗୀମାନଙ୍କୁ ଆଉ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।
Comments are closed.