ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଦେଲେ ଆଇପିଏସ ଅରୁଣ ବୋଥ୍ରା । ପାଟଣାଗଡ଼ ଏଡ଼ିଜେ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା I ୬୦ନଂ ସାକ୍ଷୀ ଭାବରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ପ୍ରଦାନ କରିଛନ୍ତି। କୋର୍ଟରେ ସରକାରୀ ଓକିଲ ଓ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ଉପସ୍ଥିତ ଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରୁ ପାଟଣାଗଡ଼ ଆଣାଯାଇଥିଲା I ତେବେ କୋର୍ଟରେ କଣ ଶୁଣାଣି ହୋଇଛି ତାହାର ସୂଚନା ମିଳିନାହିଁ। ପାର୍ସଲ ବୋମା ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ୬ବର୍ଷ ପୂରିଥିଲେ ମଧ୍ୟ କୋର୍ଟରେ ଏହାର ଶୁଣାଣି ଚାଲିଛି। ପୁଞ୍ଜିଲାଲ କୁ ନେଇ ହୋଇଥିବା କ୍ରାଇମ ସିନର ସିଡ଼ି ଡ଼ିସ୍ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି I କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ I ଏହାର ପରବର୍ତୀ ଶୁଣାଣି ସେପ୍ଟେମ୍ବର ୧୧ ହେବ ବୋଲି ସୂଚନା ମିଳିଛି I
ସୂଚନାନୁସାରେ, ୨୦୧୮ ମସିହାରେ ଏହି ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ପାଟଣାଗଡ଼ ସହରର ବ୍ରହ୍ମପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘରରେ ଏକ ଗିଫ୍ଟ ପ୍ୟାକେଟରେ ଆସିଥିଲା ପାର୍ସଲରେ ବୋମା I ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ହେବା ପରେ ସୁସ୍ଥ ହୋଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଥିଲା ତଦନ୍ତ। ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ମେହେର ବିଚାରଧୀନ ବନ୍ଦୀ ଭାବରେ ଅଛନ୍ତି ।

Comments are closed.