ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ,ମହାପ୍ରଭୁ ଲୋକନାଥଙ୍କ ଗମ୍ଭୀରାରୁ ହେବ ପଙ୍କୋଦ୍ଧାର

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀ ଲୋକନାଥ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବରେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଦିନର ରହିଛି ବିଶେଷ ମହତ୍ୱ । ବର୍ଷ ତମାମ ଶ୍ରୀ ଲୋକନାଥଙ୍କ ଠାରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଲାଗି ହୋଇଥିବା ଫୁଲ ବେଲପତ୍ର ନୈବେଦ୍ୟରେ ବୁଡି ରହିଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯିବ। ରାତ୍ର ୨ଟା ୩୦ରେ ଦ୍ୱାର ଖୋଲାଯାଇ ମଙ୍ଗଳଆଳତୀ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା,ଦ୍ୱାରପାଳପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ବଢ଼ିବା ପରେ ସକାଳ ୬ରୁ ପଙ୍କୋଦ୍ଧାର ନୀତି ଚାଲିଛି।

ପଙ୍କୋଦ୍ଧାର ନୀତିକାନ୍ତି ପୂର୍ବାହ୍ନ ୧୧ଟାରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ପଙ୍କୋଦ୍ଧାର ସରିବା ପରେ ମହାପ୍ରଭୁଙ୍କ ମାଘ ସ୍ନାନ ନୀତି କରାଯାଇ ମଧ୍ୟାହ୍ନ ୧୨ଟା ଭିତରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତ୍ର ୧୦ଟା ପର୍ଯ୍ୟନ୍ତ ଜାରି ରହିବ ।

ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିବାର ସୁଯୋଗ ପାଉଛନ୍ତି । ସେପଟେ ବାବାଙ୍କ ଗମ୍ଭୀରାରୁ ବାହାରିଥିବା ପଙ୍କକୁ ଦେହରେ ଲଗାଇଲେ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଥିବାବେଳେ ସ୍ପଷ୍ଟ ଭାବରେ ପ୍ରତକ୍ଷ୍ୟ ବାବାଙ୍କ ଲିଙ୍ଗକୁ ଦର୍ଶନ କରି ଭକ୍ତମାନେ କୃତାର୍ଥ ହେଉଛନ୍ତି ।

ବାବା ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି ପାଇଁ ଲୋକନାଥ ମନ୍ଦିରରେ ଏହି ନୀତି ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି । ଲୋକନାଥ ମନ୍ଦିର ଭିତରେ ୨ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର୍‌, ୩୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୨ ଜଣ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଳ, ୫୬ ଜଣ ହୋମ୍‌ଗାର୍ଡ, ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନ୍ସପେକ୍ଟର୍‌, ୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୪ ଜଣ ହାବିଲ୍‌ଦାର ଓ କନ୍‌ଷ୍ଟେବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

Govt

Comments are closed.