ଭୁବନେଶ୍ୱର : ଏଣିକି ଗାଁ ମୁହାଁ ହେବେ ନାହିଁ ହାତୀ ପଲ । ହାତୀ-ମଣିଷ ଲଢେର ଘଟିବ ଅନ୍ତ । ଗାଁ ମୁହାଁ ହେଉଥିବା ହାତୀପଲଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ଆପଣେଇଛନ୍ତି ଅଭିନବ ଉପାୟ । ହାତୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଜଙ୍ଗଲ ମଧ୍ୟରେ ହେବ ଧାନ ଚାଷ । ଆଜି ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ‘ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ’ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ସେ କହିଛନ୍ତି ମଣିଷ ହାତୀ ଲଢେଇ ସ୍ଵାଭାବିକ କଥା । ହାତୀ ଯାହା ଖାଦ୍ୟ ଖାଆନ୍ତି ତାହାକୁ ଜଙ୍ଗଲରେ ଚାଷ କରିବା ଆବଶ୍ୟକ ରହିଛି । ହାତୀ ତାଙ୍କ ଖାଦ୍ୟ ଖାଇବା ପାଇଁ ଜଙ୍ଗଲ ବାହାରକୁ ଆସୁଛନ୍ତି । ଯଦି ଆମେ ତାଙ୍କୁ ସେହି ଜଙ୍ଗଲରେ ଯୋଗାଇ ଦେବା ତେବେ ସେମାନେ ଆଉ ଆସିବେ ନାହିଁ ।
ଧାନ ହେଲେ ଆମେ କାଟି ଆଣିପାରିବା। ଧାନ ଚାଷକୁ ଧାନ ଚାଷ ହେଲା । ହାତୀଙ୍କୁ ତାଙ୍କ ଖାଦ୍ୟ ବି ପାଇପାରିବେ । ଆଉ ହାତୀ ଗାଁକୁ ଆସିବେ ନାହିଁ । ମୁଁ ଭାବୁଛି ଯଦି ଏ ଭଳି ପଦକ୍ଷେପ ନେବା ତେବେ ହାତୀ ମଣିଷ ଲଢେଇ ରୋକି ପାରିବା। କେତେ ଟଙ୍କା ଖର୍ଚ୍ଚ ହେବ ଆମେ କରିବା ।
ଏଥିସହ ସେ କହିଛନ୍ତି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗ ରେ କାମ କରିବାକୁ ହେବ । ରାଜ୍ୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି । ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ରେ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ରେ ଗୋଟିଏ ଦିନ ରେ ଲାଗିବ ୭୫ ଲକ୍ଷ ଗଛ । ସେହିଦିନ ଓଡିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି କହିଲେ ମୁଖ୍ୟମନ୍ତ୍ରୀ ।