୨୮ରୁ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ସେପ୍‌ଟେମ୍ବର ୨୧: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ଛାତ୍ରଛାତ୍ରୀଙ୍କର ପ୍ରବେଶପତ୍ର(ଆଡମିଟ୍‌ କାର୍ଡ) ଓୟୁଏଟି େୱବସାଇଟରୁ ଡାଉନଲୋଡ୍‌(ସଂଗ୍ରହ) କରିପାରିବେ । ଓୟୁଏଟି ଅଧୀନରେ ଥିବା ୯ କଲେଜର ପ୍ରାୟ ୬୫୦ ସ୍ନାତକ ସିଟ୍‌ ପାଇଁ ପରୀକ୍ଷା ହେବ । ପରୀକ୍ଷା ୨୮ ତାରିଖରୁ ଆରମ୍ଭ ହୋଇ ୩୦ରେ ସରିବ । ଚଳିତ ବର୍ଷ ୨୫ ହଜାର ୮୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟର ୨୫ ଜିଲାରେ ୫୨ କେନ୍ଦ୍ର ଏବଂ ଦିଲ୍ଲୀର ଏକ କେନ୍ଦ୍ରରେ ମଧ୍ୟ ପରୀକ୍ଷା ହେବ ।
କରୋନା ଯୋଗୁଁ ଭିଡ ଏଡ଼ାଇବାକୁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପୂର୍ବାହ୍ନ ୧୦ଟା୩୦ରୁ ୧୨ଟା୩୦ ମଧ୍ୟରେ ପ୍ରଥମ ଓ ଅପରାହ୍ନ ୨ଟାରୁ୪ଟା ଭିତରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ, ୧୭ ତାରିଖରୁ ଫର୍ମ-ବି ଦାଖଲ ଆରମ୍ଭ ହୋଇଛି । ଏହି ଫର୍ମରେ ଛାତ୍ରଛାତ୍ରୀ ସେମାନଙ୍କ ସବୁ ପାଠପଢ଼ା ସମ୍ବନ୍ଧୀୟ ପ୍ରମାଣପତ୍ର ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ । ଆସନ୍ତା ମାସ ୭ ତାରିଖ ସୁଦ୍ଧା ବିଦ୍ୟାର୍ଥୀ ଫର୍ମ-ବି ଦାଖଲ କରିବେ । ଫର୍ମ-ବି ଦାଖଲ କରି ନ ଥିବା ବିଦ୍ୟାର୍ଥୀ ନାମଲେଖାରୁ ବାଦ ପଡ଼ିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି ସ୍ନାତକୋତ୍ତର(ପିଜି), ପିଏଚଡ଼ି, ସିପିଜିଏସ୍‌ ଭଳି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ସପ୍ତାହରୁ ଆବେଦନ ଆରମ୍ଭ ହେବ । ଏନେଇ ଆସନ୍ତା ସପ୍ତାହରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ । ଛାତ୍ରଛାତ୍ରୀ ଅନଲାଇନ୍‌ ଆବେଦନ କରିବେ । ଖୁବ୍‌ଶୀଘ୍ର ଏନେଇ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି ।

Govt

Comments are closed.