ଫରୁଖାବାଦ: ଜୁନ୍ ୦୧: ଉତ୍ତରପ୍ରଦେଶ ଫରୁଖାବାଦର ଜଣେ ଅଧିକାରୀ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ନିଜର ଗୁରୁ ବୋଲି କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଲାଡେନର ଫଟୋ ଲଗାଇଛନ୍ତି । ଫରୁଖାବାଦର ନୱାବଗଞ୍ଜ ବିଜୁଳି ନିଗମ କାର୍ଯ୍ୟାଳୟରେ ଲାଗିଥିବା ଓସାମା ବିନ୍ ଲାଡେନର ଫଟୋ ଭାଇରାଲ ହେବା ପରେ ଏବେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଫଟୋ ତଳେ ଶ୍ରଦ୍ଧେୟ ଓସାମା ବିନ୍ ଲାଡେନ୍ ବିଶ୍ୱର ସର୍ବଶ୍ରେଷ୍ଠ କନିଷ୍ଠ ଯନ୍ତ୍ରୀ ମଧ୍ୟ ଲେଖା ଯାଇଛି । ଏହାତଳେ ସମ୍ପୃକ୍ତ ଏସଡିଓ ରବିନ୍ଦ୍ର ଗୌତମଙ୍କର ନାଁ ଲେଖା ଯାଇଛି । ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଏସ. କେ. ଶ୍ରୀବାସ୍ତବ କହିଛନ୍ତି ଏପରି ଘଟଣାର ସୂଚନା ତାଙ୍କୁ ଦିଆଯାଇଛି । ଏଥିପାଇଁ ଏକ ତଦନ୍ତ କମିଟି ମଧ୍ୟ ତିଆରି କରାଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାନ୍ଥରେ ଲାଗିଥିବା ଫଟୋ ଭାଇରାଲ ହେବା ପରେ ଏହାର ସୂଚନା ଉପରିସ୍ଥ ଅଧିକାରୀମାନଙ୍କ ପାଖରେ ପହଞ୍ଚିଛି । ଏହାପରେ ସେଠାରୁ ଲାଡେନର ଫଟୋ କାଢ଼ି ଦିଆଯାଇଛି । ତେବେ ଅଧିକାରୀ ରବିନ୍ଦ୍ର ଗୌତମଙ୍କୁ ଯୋଗାଯୋଗ କରିବାରୁ ଲାଡେନ ତାଙ୍କର ଗୁରୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫଟୋ ଯଦି ହଟିଯାଇଛି ତାହେଲେ ଅଲଗା ଫଟୋ ମଧ୍ୟ ଲଗାଯାଇ ପାରିବ । ତେବେ ଏ ନେଇ ଉପରିସ୍ତ ଅଧିକାରୀଙ୍କୁ ସୂଚନା ଦିଆଯିବା ସହିତ ଘଟଣାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ଚାଲିଛି ।

Comments are closed.