ବରୀ : ଓଟିପି ସେୟାରିଂ ସ୍କାମ୍ ମାମଲାରେ ଓଡିଶାରୁ ଜଣେ ଗିରଫ ହୋଇଛନ୍ତି I ଗିରଫ ଅଭିଯୁକ୍ତ ଜଣକ ହେଲେ ପ୍ରିତମ କର I ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଭୁରୁଙ୍ଗାରେ । ଗତକାଲି ରାତିରେ ଏସ୍ଟିଏଫ୍ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତବର୍ଷ ମାଙ୍ଗଲୋରରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣରେ ଯେଉଁ ପ୍ରି-ଆକ୍ଟିଭେଟେଡ଼ ସିମ ଟି ବ୍ୟବହାର ହୋଇଥିଲା,ତାହା ଓଡିଶାରୁ ଯାଇଥିଲା I ଆଉ ଏହି ସିମ୍ କାର୍ଡଟି ଯୋଗାଇଥିଲା ପ୍ରୀତମ କର। ଏସ୍ଟିଏଫ୍ ତାକୁ ଗିରଫ କରି ଖୋଳତାଢ଼ ଆରମ୍ଭ କରୁଛି।ଗ ଓଡ଼ିଶାର ପ୍ରି-ଆକ୍ଟିଭ୍ ସିମ୍କୁ ବ୍ୟବହାର କରି ପ୍ରୀତମ୍ ତାଙ୍କ ମୋବାଇଲରେ ଅନେକ ଗ୍ରୁପ୍ ଖୋଲିବା ସହିତ ହ୍ବାଟ୍ସଆପ୍ ମାଧ୍ୟମରେ ପାକିସ୍ତାନର ଆଇଏସ୍ଆଇ ସଂସ୍ଥାକୁ ଓଟିପି ପଠାଉଥିଲେ। ଏହାବଦଳରେ ତାଙ୍କୁ ମୋଟାଅଙ୍କର ଟଙ୍କା ମିଳୁଥିଲା। ଏସମ୍ପର୍କରେ ତଥ୍ୟ ହାସଲ କରିବା ପରେ ପ୍ରୀତମ୍ଙ୍କୁ ଗିରଫ କରିଛି ଏସ୍ଟିଏଫ୍। ଏହି ମାମଲାରେ ତାଙ୍କୁ ମିଶାଇ ଏପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇସାରିଲେଣି। ସେମାନଙ୍କ ମଧ୍ୟରେ ରହିଛନ୍ତି ସେହି ବରୀର କିମ୍ଭିରିଆପାଳ ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମର ସୌମ୍ୟରଂଜନ ପଟ୍ଟନାୟକ।
ତେବେ, ପୂର୍ବରୁ ମଧ୍ୟ ସାଇବର ଠକେଇ ଅଭିଯୋଗରେ ଦିଲ୍ଲୀ ପୁଲିସ ପ୍ରୀତମଙ୍କୁ ଗିରଫ କରିଥିଲା। ୨୦୨୧ ଅଗଷ୍ଟ ମାସରେ ଦିଲ୍ଲୀର ସାଇବର ଥାନାରୁ ୪ ଜଣିଆ ପୁଲିସ ଟିମ୍ ଓଡ଼ିଶା ଆସି ବରୀ ପୁଲିସ ସହାୟତାରେ ପ୍ରୀତମଙ୍କୁ ତାଙ୍କ ଭୁରୁଙ୍ଗାସ୍ଥିତ ଘରୁ ଗିରଫ କରି ନେଇଯାଇଥିଲେ। ସେଠାରୁ ଆସିବା ପରେ ପୁଣି ଦ୍ବିତୀୟଥର ସେହି ସାଇବର ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ। ଏବେ ଓଟିପି ସେୟାରିଂ ଓ ପାକିସ୍ତାନ ଲିଙ୍କ୍ ଅଭିଯୋଗରେ ସେ ତୃତୀୟଥର ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ ଜୁନ ୧୦ ତାରିଖ ଶନିବାର ଦିନ କଟକରେ ପର୍ଦ୍ଦାଫାସ ହୋଇଥିଲା ଆନ୍ତଃରାଜ୍ୟ ସିମ୍ କାର୍ଡ ରାକେଟର। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କ ମଧ୍ୟରୁ ୭ ହେଉଛନ୍ତି ଏକ ପ୍ରତିଷ୍ଠିତ ଘରୋଇ ଟେଲିକମ୍ ସଂସ୍ଥାର କର୍ମଚାରୀ। ସେମାନଙ୍କଠାରୁ ଜବତ ହୋଇଥିଲା ୧୬ଟି ମୋବାଇଲ୍ ଓ ବିଭିନ୍ନ କମ୍ପାନୀର ୮୦୦ଟି ସିମ୍ କାର୍ଡ। ତା’ମଧ୍ୟରେ ଥିଲା ୩୧୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍। ଏଭଳି ଭାବେ ଘରୋଇ ଟେଲିକମ୍ କମ୍ପାନୀର ଅସାଧୁ କର୍ମଚାରୀଙ୍କୁ ହାତ କରି ପ୍ରି- ଆକ୍ଟିଭେଟେଡ୍ ସିମ୍ ରାକେଟ ଚଳାଉଛନ୍ତି ରାଜ୍ୟର କିଛି ଅଭିଯୁକ୍ତ।
Comments are closed.