ଭୁବନେଶ୍ୱର: ଏପ୍ରିଲ ୨୦ରୁ ୨୨ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ‘ଓଡ଼ିଶା ଦକ୍ଷତା ସମ୍ମିଳନୀ-୨୦୨୩’ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଶିଳ୍ପ, ଶିକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଙ୍ଗଠନ, ରାଷ୍ଟ୍ର ପ୍ରତିନିଧି ଓ ଦକ୍ଷତା ଆମ୍ବାସାଡରଙ୍କୁ ଯୋଡ଼ିବାକୁ ପ୍ରୟାସ କରାଯାଉଛି। ‘ଓଡ଼ିଶା ଦକ୍ଷତା ସମ୍ମିଳନୀ’କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ପ୍ରୟାସ କରୁଛନ୍ତି I
ଗତକାଲି ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମକୁ ସୂଚନା ଦେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶାକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧି ଏବଂ ସ୍କିଲ୍ ଆମ୍ବାସାଡରଙ୍କୁ ଜଡିତ ହେବାକୁ ପ୍ରଯତ୍ନ କରୁଛନ୍ତି । ସୁଚିନ୍ତିତ, ସହମତି ଭିତ୍ତିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ୱ୍ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ ।
ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଭାରତରେ ସମନ୍ୱିତ ସ୍କିଲ୍ ଇକୋସିଷ୍ଟମ୍, ଦକ୍ଷ ମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ । ୨୧ ଏପ୍ରିଲରେ ସ୍ୱତନ୍ତ୍ର ଅଧିବେଶନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍ କ୍ୟାପିଟାଲ୍ ଭାବେ ଗଢିତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍ ଟେକ୍ନୋଲୋଜି ସହିତ ସେକଫର ସ୍କିଲ୍ କାଉନସିଲର ଭୂମିକା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଛନ୍ତି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଆନ୍ତର୍ଜାତୀୟ ତଥା ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ୨୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଶିଳ୍ପ, ଏକାଡେମୀ, ସରକାରୀ କ୍ଷେତ୍ରର ୧୦୦୦ ରୁ ଊଦ୍ଧ୍ୱର୍ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ସମ୍ମାଳନୀରେ ଆଇଆଇଟି, ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ୧୦୦ ରୁ ଊଦ୍ଧ୍ୱର୍ ପ୍ରଦର୍ଶନୀ ଆୟୋଜିତ ହେବ ।
ଏହି ଅବସରରେ ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ରାଜିନାମା ସ୍ୱାକ୍ଷର ହେବ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜନପଥରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯାଉଛି। ମନୋରଞ୍ଜନ ପାଇଁ ୨୦ ଓ ୨୧ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ମଧ୍ୟ ଆଉ ଏକ କର୍ଟନ୍-ରେଜର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Comments are closed.