ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଧାର୍ଯ୍ୟ : ଆସନ୍ତା ମାସ ୧୬ରେ ନିର୍ବାଚନ

ଭୁବନେଶ୍ୱର: ଜାନୁଆରୀ ୧୧: କରୋନା ସମୟ ମଧ୍ୟରେ ଆଜି ରାଜ୍ୟ ନିର୍ବାଚନ କମିଶନର୍‌ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନର ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାସ ଫ୍ରେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ଭୋଟ୍‌ ହେବ । ଫ୍ରେବୃଆରୀ ୨୬, ୨୭ ଏବଂ ୨୮ରେ ଭୋଟ୍‌ ଗଣତି ହେବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିବେ । ପ୍ରାର୍ଥୀ ଚାହିଁଲେ ଭର୍ଚୁଆଲ୍‌ ମିଟିଂ ଏବଂ ପ୍ରଚାର କରିପାରିବେ । ଏହାସହ କୌଣସି ପ୍ରକାରର ସମ୍ମିଳନୀ କରିପାରିବେ ନାହିଁ । ପ୍ରଚାର ପାଇଁ ପଦଯାତ୍ରା, ବାଇକି ରାଲି ପାଇଁ ଅନୁମତି ନାହିଁ ।

ଭୋଟ୍‌ କାର୍ଯ୍ୟ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ । ଭୋଟ୍‌ ଗ୍ରହଣ ସରିଲେ ବ୍ଲକ୍‌ ସ୍ତରରେ ଭୋଟ୍‌ ଗଣତି କାର୍ଯ୍ୟ ହେବ । ଡବଲ୍‌ ଡୋଜ କରୋନା ଟିକା ବା ଆର୍‌ଟିପିସିଆର୍‌ ଟେଷ୍ଟ କରିଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରରେ ପ୍ରବେଶ କରିପାରିବେ ।

ମିଥ୍ୟସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରାଯିବ । ୫ଟି ପର୍ଯ୍ୟୟରେ ଭୋଟ୍‌ ଗ୍ରହଣ ହେବ । ସରପଞ୍ଚ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିବେ ।

ନାଏବ ସରପଞ୍ଚ ନିର୍ବାଚନ ମାର୍ଚ୍ଚ ୧୧ରେ ହେବ । ସେହିପରି ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ୨୩ରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ୨୫ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ ।

ରାଜ୍ୟରେ ମୋଟ୍‌ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ । ୬, ୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬, ୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । ୪୩୩ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ । ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି । ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ ।

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀମାନେ ସେମାନଙ୍କର ଜାତି ସାର୍ଟିଫିକେଟ୍‌ ଦାଖଲ କରିବେ । ସଂପୃକ୍ତ ଜାତି ସାର୍ଟିଫିକେଟଗୁଡ଼ିକ ଓଡ଼ିଶା ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ପ୍ରାପ୍ତ ହୋଇଥିବା ଆବଶ୍ୟକ ।

Comments are closed.