ନବରଙ୍ଗପୁର : ରାଜ୍ୟ ସନ୍ତରଣ ପ୍ରତିଯୋଗୀତାରେ ନବରଙ୍ଗପୁର ସହରର ଉପେନ୍ଦ୍ର ପୂଜାରୀ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଭୁବନେଶ୍ୱର ଠାରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ ଉପେନ୍ଦ୍ର ଛ’ଟି ଇଭେଣ୍ଟରେ ପ୍ରଥମ ହୋଇ ୬ଟି ସ୍ୱର୍ଣ୍ଣ ଓ ଅନ୍ୟ ଗୋଟିକରେ ଦ୍ୱିତୀୟ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି । ପ୍ରତିଯୋଗିତାରେ ୧୯ଟି ଜିଲ୍ଲାରୁ ୧୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଚଳିତ ମାସ ୨୫ ଓ ୨୬ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲରେ ପ୍ରତିଯୋଗିତା ହୋଇଥିଲା । ଉପେନ୍ଦ୍ର ଶହେ ମିଟର ବଟର ଫ୍ଲାଏ ପ୍ରତିଯୋଗିତା କନିଷ୍ଠ ବର୍ଗରେ ଭାଗ ନେଇ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ୫୦ ମିଟର ବ୍ୟାକଷ୍ଟୋକ କନିଷ୍ଠ ବର୍ଗରେ ପ୍ରଥମ ହୋଇ ସ୍ୱର୍ଣ୍ଣ, ଶହେ ମିଟର ବ୍ୟାକ ଷ୍ଟ୍ରୋକ କନିଷ୍ଠ ବର୍ଗରେ ସ୍ୱର୍ଣ ପଦକ ହାସଲ କରିଛନ୍ତି । ଦୁଇଶହ ମିଟର ବ୍ୟାକ ଷ୍ଟ୍ରୋକ ଜୁନିୟର ବର୍ଗରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହ ୫୦ ମିଟର ବ୍ୟାକ ଷ୍ଟ୍ରୋକ ବରିଷ୍ଠ ବର୍ଗ ଓ ଶହେ ମିଟର ବ୍ୟାକ ଷ୍ଟ୍ରୋକ ବରିଷ୍ଠ ବର୍ଗରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ୫୦ ମିଟର ବଟର ଫ୍ଲାଏ ଜୁନିୟର ବର୍ଗରେ ଦ୍ୱିତୀୟ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି । ସେ ପିଲାଦିନରୁ ସହରର ପ୍ରତାପ ସାଗର ଓ ଘୋରମୁଣ୍ଡା ପୋଖରୀରେ ସନ୍ତରଣ ଅଭ୍ୟାସ କରି ଆସୁଥିଲେ । ନବରଙ୍ଗପୁର ପରି ଆଦିବାସୀ ଅଧୁଷିତ ଜିଲ୍ଲାରେ ନିଜର ଚେଷ୍ଟା ଓ ପ୍ରତିଭା ବଳରେ ସେ ରାଜ୍ୟ ସ୍ତରୀୟ ବହୁ ପ୍ରତିଭା ସନ୍ତରଣ ମାନଙ୍କୁ ପଛରେ ପକାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଉପେନ୍ଦ୍ରଙ୍କ ବାପା ରାଜୀବ ଲୋଚନ ପୂଜାରୀ ଓ ମାଆ ବୈଜୟନ୍ତୀ ମାଳା ପୂଜାରୀ ପୁଅର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

Comments are closed.