ଡିସେମ୍ବର ପହିଲାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇଲେ ପୁଲିସ ଡିଜି

ଭୁବନେଶ୍ୱର: ନଭେମ୍ବର ୩୦: ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ଏଥିପାଇଁ ଆଜିଠାରୁ ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍‌ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ପୁଲିସ କମିସନର ସୌମେନ୍ଦ୍ର କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହିତ ବିଧାନସଭାକୁ ଯାଉଥିବା ସମସ୍ତ ମାର୍ଗରେ କଟକଣା ଜାରି କରାଯାଇଛି ।

କାଲିଠାରୁ ବିଧାନସଭା ଅଧିବେଶନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯିବ । ସୂଚନା ଅନୁସାରେ, ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବିଧାନସଭା ଆଖପାଖ ରାସ୍ତାଗୁଡ଼ିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ୨୮ ଅନୁସାରେ- ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ଟକିଜ୍‌ଠାରୁ ଆଗକୁ ନଯାଇ ବାମପଟ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ସେହିପରି ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ସେହିପରି ମାଷ୍ଟରକ୍ୟାଣ୍ଟିନ ପଟୁ ପିଏମଜି ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ଲୋୟର ପିଏମଜି ଛକରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ ।

ଅନ୍ୟପକ୍ଷରେ, କୌଣସି ଗାଡ଼ି ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ । ୧୨୦ ବାଟାଲିୟନ ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥୁବା ସମସ୍ତ ଗାଡ଼ି ପାୱାର ହାଉସ୍‌ ଛକ ଆଡ଼କୁ ଯିବେ । ରାଜଭବନ ଛକ ପଟୁ ଏମଏଲ୍‌ଏ କଲୋନି ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଶାସ୍ତ୍ରୀନଗର ଆଡ଼କୁ ଯିବେ । ତେବେ ଏହି କଟକଣା ବିଧାନସଭା, ଲୋକସେବା ଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ ।

Govt

Comments are closed.