ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଓଡିଶା ସହିତ ଦେଶରେ ହେବାକୁ ଥିବା ୭ଟି ରାଜ୍ୟର ଉପନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାର ନୂଆପଡା,ଜମ୍ମୁ-କଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ ଏବଂ ମିଜୋରାମରେ ୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ।
ଗତ ସେପ୍ଟେମ୍ବର ୮ ତାରିଖରେ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ୭୧ ନମ୍ବର ନୂଆପଡ଼ା ଆସନ ଖାଲି ରହିଛି । ଏଥିପାଇଁ ମତଦାନ ହେବ । ଅକ୍ଟୋବର ୧୩, ସୋମବାର ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିବ । ଅକ୍ଟୋବର ୨୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିବ । ନଭେମ୍ବର ୧୧ ଉପନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୪ ତାରିଖରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ନୂଆପଡ଼ାରେ ଭୋଟରଙ୍କ ୨ ଲକ୍ଷ ୪୮ ହଜାର ମତଦାନ କରିବେ । ମୋଟ ପୋଲିଂ ଷ୍ଟେସନ ସଂଖ୍ୟା ୩୫୮ ରହିଥିବାବେଳେ ନୂଆ ପୋଲିଂ ଷ୍ଟେସନ ସଂଖ୍ୟା ୫୬ ରହିଛି ।
ଅନ୍ୟପକ୍ଷରେ ତିନି ରାଜନୈତିକ ଦଳ ନୂଆପଡ଼ାରେ ଡେରା ପକାଇ ଦେଇଛନ୍ତି । ପ୍ରଥମେ ଏହି ଆସନ ବିଜେଡ଼ି କବଜାରେ ଥିବାବେଳେ ଏବେ ବିଜେପି ଏବଂ କଂଗ୍ରେସ ହାତେଇବାକୁ ରଣନୀତି ଆରମ୍ଭ କରିଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଦେବ ବୋଲି କହିଛନ୍ତି ରାଜ୍ୟ ପିସିସି ସଭାପତି ଭକ୍ତଚରଣ ଦାସ। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନୂଆପଡାରେ ପୂର୍ବରୁ କଂଗ୍ରେସ ବାଜିମାତ କରିଛି । ପୂର୍ବରୁ କଂଗ୍ରେସ ଉପନିର୍ବାଚନ ଜିତିଛି, ଏଥର ବି ଜିତିବ । ଏଠାରେ କଂଗ୍ରେସର ଲଢେଇ ବିଜେପି ନୁହେଁ ବିଜେଡି ସହିତ ହେବ । କଂଗ୍ରେସ ନୂଆପଡାରେ ବିଜୟ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ଏଠାରେ ଦଳ ଘାଶିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ଦଳ ଘାସିରାମଙ୍କ ନାମ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି ।
