ଭୁବନେଶ୍ୱର: ଫେବୃଆରୀ ୨: ଆଜି ସକାଳ ସମୟରେ ଖ୍ୟାତନାମା କବି ପ୍ରଫେସର ପ୍ରମୋଦ କୁମାର ମହାନ୍ତିଙ୍କର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ‘ଅସରନ୍ତି ଅଣସର’ କବିତା ସଙ୍କଳନ ପାଇଁ ୨୦୦୮ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କବିତା ସଂକଳନଟି ପରବର୍ତ୍ତୀ ସମୟରେ ମେରି ମହାନ୍ତିଙ୍କ ଦ୍ୱାରା ‘ଏଣ୍ଡ୍ଲେସ୍ ଆଡର୍ଣ୍ଣମେଣ୍ଟ୍’ ନାମରେ ଇଂରାଜୀ ଭାଷାକୁ ଅନୁଦିତ ହୋଇଥିଲା । ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନରୁ ଶିଶୁ-ମନୋବିଜ୍ଞାନ ନିର୍ଦ୍ଦେଶନା-ଅଧ୍ୟାପକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ ।
କବିତା ରଚନା କ୍ଷେତ୍ରରେ ତାଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ୬୩ତମ ‘ବିଷୁବ ପୁରସ୍କାର’ ମିଳିଥିଲା । ଏହା ସହିତ ସେ ସାରସ୍ୱତ ସାଧନା ଲାଗି ଅନ୍ୟାନ୍ୟ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । କବିତା ସଙ୍କଳନ ବ୍ୟତୀତ ତାଙ୍କର କେତୋଟି ଗଦ୍ୟ ପୁସ୍ତକ ମଧ୍ୟ ରଚିଛନ୍ତି ।
କଟକରେ ଜନ୍ମିତ ପ୍ରମୋଦ କୁମାର ମହାନ୍ତି ମନୋବିଜ୍ଞାନରେ ଅଧ୍ୟାପନା କରୁଥିଲେ । ହେଲେ କବିତା ଲେଖିବା ପ୍ରତି ତାଙ୍କର ଅନାବିଳ ପ୍ରେମ ରହିଥିଲା । କବି ପ୍ରଫେସର ପ୍ରମୋଦଙ୍କର ୧୧ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି । ସେସବୁ ମଧ୍ୟରେ ରହିଛି, କ୍ରମଶଃ , ଦେବୀ ପାଦ , ଅକାତକାତ , ଚିତ୍ର ନଦୀ , ଅସରନ୍ତି ଅଣସର (୨୦୦୬), ଅଲଗା କୁହ , ଚିତ୍ର ଚିତ୍ରକ ଚିତ୍ରପେଡ଼ି , ଅକ୍ଷର ସେବା , ବାଙ୍କମୟ ବର୍ଣ୍ଣମାଳା , ଅଧାଅଧା ଅଲିମ୍ପିକ୍ ଆଦି ଲୋକପ୍ରିୟ ।

Comments are closed.