ରାଜ୍ୟରେ ନାହିଁ ବନ୍ୟା ସ୍ଥିତି – SRC

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ପରିସ୍ଥିତି । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ପଶିଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି। ଲଗାତର ଭାବେ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଭକ୍ତ ରଞ୍ଜନ ମହାନ୍ତି । ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ ଖୋଲା ହୋଇଛି । ମୁଣ୍ଡଳୀରୁ ୭ ଲକ୍ଷ ବନ୍ୟା ଜଳ ପ୍ରଭାବିତ ହେଉଛି । ଆଉ ଦୁଇ ତିନି ଦିନ ଏମିତି ପାଣି ପାସ କରିବ । ତଳି ଅଞ୍ଚଳରେ ପାଣି କିଛି ପଶିଛି କିନ୍ତୁ ରାଜ୍ୟରେ ସେମିତି ବନ୍ୟା ସ୍ଥିତି ନାହିଁ । ଏସଆରସିଙ୍କ ସହ ଆମେ ଯୋଗାଯୋଗରେ ଅଛୁ । ଭୁବନେଶ୍ୱରରେ ୩୦ ପମ୍ପ, କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମୁଖ ସଚିବ ସାମାଜିକ ସୁରକ୍ଷା ବିଷ୍ଣୁପଦ ସେଠୀ ଓ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମାଲକାନଗିରି ପଠାଯିବ। ସେହିପରି ପୋଲିସ ଡିଆଇଜି ଚରଣ ସିଂ ମୀନା ଯିବେ କୋରାପୁଟ ।

ଆଜି ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା। ରାଜୀବ ଭବନରେ ଏସଆରସି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରିବା ସହ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡରେ ମୁତୟନ ହୋଇଛନ୍ତି ୬ ଏନଡିଆରଏଫ ଟିମ।

ସେପଟେ ବର୍ଷା ପ୍ରଭାବିତ ଅଞ୍ଚଳକୁ ୧୮ଟି ଓଡ୍ରାଫ ଟିମ୍ ପଠାଯିବ। ମାଲକାନଗିରିକୁ ୬, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀରକୁ ୨ଟି ଲେଖାଏଁ ଟିମ ପଠାଯିବ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଏସଆରସିଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟର ୬ ବ୍ଲକ ପ୍ରଭାବିତ ହୋଇଥିବାବେଳେ ୩୬ଟି ଗାଁ ପ୍ରଭାବିତ ହୋଇଛି। ୧୫୦ ଘର ଆଂଶିକ ପ୍ରଭାବିତ ହୋଇଛି।

ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି । ପୋଲ ବୁଡ଼ିବା ସହିତ ଜାତୀୟ ରାଜପଥ ଉପରେ ପାଣି ଚାଲୁଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡ଼ିଛି ଜିଲ୍ଲା । ଏହି ବର୍ଷା ଦ୍ୱାରା ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରବାହିତ ହେଉଛି ।

ପୋଟେରୁ ପୋଲ ଉପରେ ୫ ରୁ ୬ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି । ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏମଭି-୯୦, ଏମଭି-୯୬ , ପାଙ୍ଗମ, ଏମଭି- ୭, ପୋଟେରୁ, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ । ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ବର୍ଷା ଜଳ ଲହଡ଼ି ଭାଙ୍ଗୁଛି । ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦ ରହିଛି । ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି ।ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ଗୋଟିଏ ଲେଖାଏଁ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି। ସମସ୍ତ ଫିଲ୍ଡ଼ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକାଲ ବଡି ପ୍ରଶାସନକୁ ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Govt

Comments are closed.