ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ୨୦ ଟି ଗେଟ ଦେଇ ହେଛି ଜଳ ନିଷ୍କାସନ । ଫଳରେ ତଳିଆ ଅଞ୍ଚଳର ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ରାଜ୍ୟର କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ ଶୁକ୍ରବାର ୪୯ ବ୍ଲକ୍ରେ ୫୦ ମିମି ଓ କାଲିମେଳା ବ୍ଲକରେ ୧୦୦ ମିମି ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ୍ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ହେଲେ ବିପଦ ସଂକେତ ଉପରେ ନାହିଁ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ ।
ବର୍ଷା ଯୋଗୁଁ ନଦୀଗୁଡିକରେ ଜଳସ୍ତର ବଢୁଛି କିନ୍ତୁ ବିପଦ ସଂକେତ ଛୁଇଁ ନାହିଁ । ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା,କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା ପାଇଁ ସତର୍କତା ରହିଛି । ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି କିନ୍ତୁ ବିପଦ ସଂକେତ ତଳେ ଅଛି । ସୁକତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳସ୍ତର ବଢ଼ିଛି । ମୁଣ୍ଡଳୀରେ ୫ଲକ୍ଷ ୯୨ ହଜାର ୨୫୫ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନଦୀର ଜଳସ୍ତର ବଢୁଛି । ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲିରେ ବ୍ରାହ୍ମଣୀ ନଦୀ ପାଇଁ ଗୋଟିଏ ଗେଟ୍ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । IMDର ପୂର୍ବାନୁମାନ ଅନୁସାରେ ଆଗକୁ ଧୀରେ ଧୀରେ ବର୍ଷା କମିବ ।

Comments are closed.