ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

ପୁରୀ: ଜୁଲାଇ ୧୨: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ନବଦିନାତ୍ମକ ଯାତ୍ରା ସାରି ନିଜ କର୍ମ ଭୂମିକୁ ଫେରିବେ ତୁର୍ଦ୍ଧାମୂରତି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ । ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ହୋଇ ଆସୁଛି । ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ । ଏପଟେ ଗତକାଲି ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ବରେ ଏହି ପଣା ଲାଗି ହୋଇଛି । ଏହି ତୁମ୍ବର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ରଥରେ ଥିବା ପାଶ୍ୱର୍ ଦେବାଦେବୀ, ଚଣ୍ଡି ଚାମଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ଅର୍ପଣ କରାଯାଇଥିଲା । ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥିଲା । ସେପଟେ ନୀଳାଦ୍ରି ବିଜେରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି ।

Comments are closed.