ନୂଆଦିଲ୍ଲୀ: ମଇ ୩୧: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ହେଲେ ଏନେଇ ବିଶେଷ ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ନବୀନ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ପହଞ୍ଚିବା ପରେ ଅପରାହ୍ନ ୪ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ସାଉଥ ବ୍ଲକ କାର୍ଯ୍ୟାଳୟରେ ଭେଟିଥିଲେ । ଏବଂ ନିଜ ବାସସ୍ଥାନରେ ପହଞ୍ଚି ସାମ୍ବାଦିକମାନଙ୍କୁ ନବୀନ କହିଥିଲେ ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ସାକ୍ଷାତ ସମୟରେ ସେ ଓଡିଶା ସ୍ୱାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେ ସଂପର୍କରେ କିଛି ସୂଚନା ଦେଇନାହାନ୍ତି । ତେବେ ଗତ ମାସରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ଏସବୁ ସତ୍ତେ୍ୱ ଆଜିର ମୋଦୀ-ଶାହ-ନବୀନଙ୍କ ଆଲୋଚନାକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱଦିଆଯାଉଛି । ବିଶେଷକରି ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଏହା ଚର୍ଚ୍ଚାକୁ ଆସିଛି । ୨୦୧୮ ବିଜେପୁର ଉପନିର୍ବାଚନ ପୂର୍ବରୁ ମଧ୍ୟ ନବୀନ ଅନୁରୂପ କୌଶଳ ଆପଣାଇଥିଲେ ଓ ସେ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜୁ ବାବୁଙ୍କ ସଂପର୍କିତ ବହି ଉପହାର ଦେଇଥିଲେ । ଏହି ବୈଠକ ସ୍ଥାନୀୟ ଅଞ୍ଚଳରେ ଭୋଟ ଉପରେ, ବିଶେଷକରି ବିଜେପି କର୍ମୀଙ୍କ ଉପରେ ଜବରଦସ୍ତ ପ୍ରଭାବ ପକାଇଥିଲା । ତେବେ ଚଳିତ ଥରର ଭେଟ କଣ ଫଳ ଆଣୁଛି ତାରି ଉପରେ ନଜର ।
Comments are closed.