ଭୁବନେଶ୍ୱର : ଓଡ଼ିଶାର ରାଜନୀତି ଇତିହାସରେ ଅପ୍ରତ୍ୟାଶିତ ଘଟଣା । ଗୁଳିମାଡ଼ରେ ଶିକାର ହୋଇ ଚିରନିଦ୍ରାରେ ଶୋଇ ଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ I ଆଜି ସକାଳେ ବ୍ରଜରାଜ ନଗରରେ ଏକ ସଭାକୁ ଯାଉଥିବା ବେଳେ ଦିନଦ୍ୱିପହରେ ପୋଲିସ ଉପସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଜଣେ ପୁଲିସ୍ ଏଏସ୍ଆଇଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ ନବ ଦାସ I ତାଙ୍କ ବାମ ଛାତିରେ ଗୁଳି ଲାଗିଥିଲା । କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସଂଗେ ସଂଗେ ଝାରସୁଗୁଡା ଜିଲ୍ଲା ହସପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା I ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ ଚିକିତ୍ସା କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଶେଷ ନଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଘଟନାନୁସାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ମନ୍ତ୍ରୀଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଅତି ନିକଟରୁ ୩ରୁ ୪ ରାଉଣ୍ଡ ଗୁଳି କରିଥିଲେ । ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପୋଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ମୁତୟନ ଥିଲେ। ତେବେ ଗୁଳିକାଣ୍ଡର କାରଣ କ’ଣ ଜଣାପଡି ନାହିଁ । ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Comments are closed.