ବିଜେଡିରୁ ଇସ୍ତଫା ଦେଲେ ଏନ୍. ଭାସ୍କର ରାଓ

ରାୟଗଡା : ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ଜିଲ୍ଲା ସଭାପତି ଚୟନକୁ ନେଇ ବଢ଼ିଲା ଅସନ୍ତୋଷ । ଶେଷରେ ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ । ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ମଧ୍ୟ ଇସ୍ତଫା ଦେଇଛନ୍ତି । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ବିଜୁ ସ୍ୱାଭିମାନ ମଞ୍ଚ ନାମରେ ସୋସିଆଲ ମିଡିଆରେ ଏକ ନୂଆ ଦଳ ଗଠନ କରିଛନ୍ତି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅସନ୍ତୋଷ ପ୍ରକାଶ କରିଥିଲେ ଏନ.ଭାସ୍କର ରାଓ । ସେ କହିଛନ୍ତି, ’ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । କେହି ଭାବିନଥିଲେ ଏଭଳି ନିଷ୍ପତ୍ତି ନିଆଯିବ ବୋଲି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ । ହେଲେ ଏସବୁକୁ ଅଣଦେଖା କରାଗଲା ’ । ରାଜନୀତି ପଛ ଜିଲ୍ଲା ଲୋକଙ୍କ କଥା ଆଗ ବୋଲି କହିଛନ୍ତି ବିଜେଡି ନେତା ଏନ ଭାସ୍କର ରାଓ।

ସୂଚନାନୁସାରେ,ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ତୀବ୍ର ହୋଇଥିଲା ଅସନ୍ତୋଷ । ଏହାପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

Govt

Comments are closed.