ବୌଦ୍ଧ: ମାର୍ଚ୍ଚ ୦୧: ରାଜ୍ୟରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବୌଦ୍ଧରେ ନେତା ପାଗଭିଡା ଆରମ୍ଭ କରିଦେଇଛନ୍ତିି । ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲେଣି । ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ ତାରିଖ ଘୋଷଣା ହେବା ସହ ପରିଷଦଗୁଡିକର ଅଧ୍ୟକ୍ଷ ପଦବିଗୁଡିକ ପ୍ରତ୍ୟକ୍ଷ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ସମୟ ରହିଛି । ଏଥର ଅଧ୍ୟକ୍ଷ ପଦବୀ ପ୍ରତ୍ୟକ୍ଷ ନା ପରୋକ୍ଷରେ ହେବ ନେଇ ଯେଉଁ ସନ୍ଦେହ ରହିଥିଲା ତାହା ଦୂର ହୋଇଛି । ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ଆସନଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ।
ସେପଟେ ଆଶାୟୀ ଅଧ୍ୟକ୍ଷମାନେ ଲବି ଆରମ୍ଭ କରିଦେଇଛନ୍ତିି । ବୌଦ୍ଧଗଡ ଏନଏସିରେ ୧୭ଟି ୱାର୍ଡ ରହିଥିବାବେଳେ ଭୋଟର ସଂଖ୍ୟା ୧୫,୭୧୦ । ସେଥିମଧ୍ୟରୁ ପୁରୁଷ ଭୋଟ ସଂଖ୍ୟା ୭,୭୯୮, ମହିଳା ଭୋଟର ୭,୯୧୨ ରହିଥିବା ଜଣାପଡିଛି । ବୌଦ୍ଧଗଡ ଏନଏସି କ୍ରମାଗତ ତୃତୀୟ ଥର ବିଜୁ ଜନତା ଦଳର ଦଖଲରେ ରହିଛି । ଏଥର ମଧ୍ୟ ଦଳ ହାତେଇବା ନେଇ ଆଶାବାଦୀ ରହିଛି । ସେପଟେ ବିଜେପି କେବେ ମଧ୍ୟ ଅଧ୍ୟକ୍ଷ ଆସନ ହାତେଇ ନ ଥିବା ବେଳେ ଏଥର ଏନଏସିରେ ଭୋଟ ବ୍ୟାଙ୍କ ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକୁ ନେଇ ଦଳ ନିର୍ବାଚନ ଜିତି ପାରିବ ବୋଲି ଦଳିୟ ନେତାମାନେ ଆଶା କରୁଛନ୍ତି ।
ସେହିପରି କଂଗ୍ରେସ ତାର ପୂର୍ବସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରିବ । ୨୦୧୩ ନିର୍ବାଚନରେ ବିଜେଡି ଏକାକି ୧୧ଟି ୱାର୍ଡ ଜିତି ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ କଂଗ୍ରେସ ୪ଟି ୱାର୍ଡରେ ବିଜୟ ହୋଇଥିବା ବେଳେ ସ୍ୱାଧିନ ପ୍ରର୍ଥୀ ୨ ୱାର୍ଡରେ ବିଜୟ ହୋଇଥିଲେ । ଏଥର ଅଧ୍ୟକ୍ଷ ପଦବୀଟି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ୱାର୍ଡମେମ୍ବର ପଦବୀର ଗୁରୁତ୍ୱ କମି ଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Comments are closed.