ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲା, ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ମୁକ୍ତ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହାରାଷ୍ଟ୍ର ସରକାର।

୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବଇର ରେଲ୍‌ ନେଟଓ୍ବର୍କରେ ସିରିଜ ବିସ୍ଫୋରଣ ଘଟିଥିଲା। ଏହାକୁ ୭/୧୧ ବିସ୍ଫୋରଣ ନାମରେ ଜଣାଯାଏ। ଏଥିରେ ମାତ୍ର ୧୧ ମିନିଟରେ ୭ଟି ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୮୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୨୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହି ଆତଙ୍କୀ ଆକ୍ରମଣ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ନିକଟରେ ୧୧ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।

ହାଇକୋର୍ଟଙ୍କ ଏପରି ରାୟ ବିରୋଧରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମହାରାଷ୍ଟ୍ର କଂଟ୍ରୋଲ ଅଫ ଅର୍ଗାନାଇଜଡ୍‌ କ୍ରାଇମ ଆକ୍ଟ(ଏମସିଓସିଏ) ଅଧୀରେ ଚାଲିଥିବା ମାମଲାଗୁଡ଼ିକୁ ହାଇକୋର୍ଟଙ୍କ ରାୟ ପ୍ରଭାବିତ କରିପାରେ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏଭଳି ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ୧୨ ଜଣଙ୍କୁ ନୋଟିସ ଜାରି କରିଛନ୍ତି। ବିଚାରପତି ଏମ୍ ଏମ୍ ସୁନ୍ଦରେଶ ଏବଂ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ସେମାନଙ୍କର ଜବାବ ମାଗିଛନ୍ତି।

ଅନ୍ୟପଟେ ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ଦୋଷମୁକ୍ତ ହୋଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ପୁଣି ଗିରଫ କରାଯିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହାର ଅନ୍ୟ MACOCA ମାମଲା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେସନ୍ସ କୋର୍ଟର ନିଷ୍ପତ୍ତି ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରେ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା।

Govt

Comments are closed.