କେନ୍ଦ୍ରାପଡା : ନଦୀକୁ କଙ୍କଡା ଧରିବାକୁ ଯାଇ ପାଞ୍ଚଦିନ ହେଲା ମା’ପୁଅ ନିଖୋଜ । କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ରତୀନ୍ଦ୍ର ମିର୍ଦ୍ଧା (୧୮) । ଏଯାବତ ଫେରିନଥିବାରୁ ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଛନ୍ତି ବନବିଭାଗର ୧୦ଟି ଟିମ୍ । ଗାଁ ଲୋକଙ୍କ ସହ ମାଆ ପୁଅକୁ ଖୋଜିବାକୁ ତାଳଚୂଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା ସହାୟତା ନିଆଯାଇଛି । ଉଭୟଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ସହ ଗାଁର ଅହଲ୍ୟା ମଣ୍ଡଳ, ତାଙ୍କ ପୁଅ ଚନ୍ଦ୍ର ମଧ୍ୟ ହାବଳ ଫରେଷ୍ଟ ବ୍ଲକ୍ ମଧ୍ୟକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଅହଲ୍ୟା ଓ ଚନ୍ଦ୍ର ଘରକୁ ଫେରିଆସିଥିଲା ବେଳେ ଅଞ୍ଜନା ଓ ତାଙ୍କ ପୁଅ ଫେରି ନ ଥିଲେ।
ବେଆଇନ ଭାବେ ଜଙ୍ଗଲ ଭିତରକୁ ଯାଇଥିବାରୁ ଏ ସମ୍ପର୍କରେ ପୁଲିସ କିମ୍ବା ବନ ବିଭାଗକୁ ଅବଗତ କରାଯାଇ ନ ଥିଲା। ସେବେଠାରୁ ପରିବାର ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି ଚଳାଇଥିଲେ। ତେବେ ଗତକାଲି ରାତିରେ ଏ ନେଇ ବନ ବିଭାଗ ଖବର ପାଇଥିଲା। ଆଜି ସକାଳେ ୧୦ରୁ ଅଧିକ ବନ ବିଭାଗ କର୍ମଚାରୀ ନିଖୋଜ ମା’-ପୁଅଙ୍କ ଖୋଜ ଖୋଜିରେ ଲାଗିଛନ୍ତି ।
