ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର : ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ ବଦଳରେ ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ପ୍ରଚଣ୍ଡ ରୋୖଦ୍ରତାପକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗତକାଲି ଚିଠି ଲେଖିଥିଲେ ସ୍କୁଲ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ସ୍କୁଲ ଖୋଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ । ୪ ଘଣ୍ଟା ପିଲାମାନେ ସ୍କୁଲରେ ରହିବେ । ରାଜ୍ୟରେ ଖରା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବିଭାଗ ପକ୍ଷରୁ କିଛି ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଯେପରିକି, ସବୁ ସ୍କୁଲରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ହେବ । ସ୍କୁଲ ପରିସରରେ ଥିବା ପାଇପ୍‌ରେ ପାଣି ଆସୁଥିବ । ଏହି ସମୟରେ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ସହ ପାନୀୟ ଜଳ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେହିପରି ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Govt

Comments are closed.