ସିନ୍ଧୁକରୁ ମିଳିଲା ୧୩ କିଲୋ ରୁପା ଅଳଙ୍କାର

ବୌଦ୍ଧ : ବୌଦ୍ଧର ଐତିହାସିକ ଜିଲ୍ଲା ସଂଗ୍ରହାଳୟ ମଧ୍ୟରେ ଖୋଲା ଆକାଶ ତଳେ ପଡିଥିବା ଏକ ଲୁହା ସିନ୍ଧୁକରୁ ୧୩ କିଲୋ ୨୩୨ ଗ୍ରାମ ରୁପା ଓ ୮ ଗ୍ରାମ ଓଜନର ଅଷ୍ଟଧାତୁ ଅଳଙ୍କାର ଉଦ୍ଧାର କରାଯାଇଛି । ରାଜାଙ୍କ ସମୟର ପ୍ରାୟ ଦୁଇଶହ ବର୍ଷ ପୂରାତନ ଏହି ଅଳଙ୍କାର ବୋଲି କୁହାଯାଉଥିବାବେଳେ ଏହାର ରେକର୍ଡ ପତ୍ର କାହା ପାଖରେ ନଥିବା ବିସ୍ମିତ କରିଛି ।

ଏକ ସୂଚନା ଅନୁଯାୟୀ ଗତ ଦୁଇବର୍ଷ ପୂର୍ବେ ବୌଦ୍ଧ ଟ୍ରେଜେରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତିନୋଟି ଲୁହା ସିନ୍ଧୁକ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ସେତେବେଳେ ତିନୋଟି ଲୁହା ସିନ୍ଧୁକ ମଧ୍ୟରୁ ଗୋଟିଏ ସିନ୍ଧୁକରେ ତାଲା ପଡିଥିବାବେଳେ ଗୋଟିଏ ଖାଲିଥିଲା ଏବଂ ଆଉ ଗୋଟିଏ ସିନ୍ଧୁକର ଉପର ଢାଙ୍କୁଣି ନଷ୍ଟ ହୋଇଯାଇଥିଲା । ଯାହାକୁ ଟ୍ରେଜେରୀ କର୍ମଚାରୀମାନେ ଡଷ୍ଟବିନ ଭାବରେ ବ୍ୟବହାର କରୁଥିଲେ । ସେହି ସମୟରେ ଜିଲା ସଂଗ୍ରାହାଳୟ ପାଇଁ ଯୋଜନା ଚାଲିଥିବାବେଳେ ଶାସକ ରାଜାଙ୍କ ସନ୍ତକ ହିସାବରେ ଉକ୍ତ ଲୁହା ସିନ୍ଧୁକ ତିନୋଟିକୁ ସଂଗ୍ରହାଳୟ ମଧ୍ୟରେ ରଖିବାର ନିଷ୍ପତ୍ତି ନେଇ ଜିଲାପାଳ ଶ୍ରୀ ମିଶ୍ର ତାହାକୁ ଉଦ୍ଧାର କରି ସଂଗ୍ରହାଳୟ ମଧ୍ୟକୁ ଅଣାଇଥିଲେ ।

ସଂଗ୍ରହାଳୟ ମଧ୍ୟରେ ଅନ୍ୟାନ୍ୟ ସାମଗ୍ରୀ ସଜାଇ ରଖାଯାଇଥିବାବେଳେ ସିନ୍ଧୁକ ତିନୋଟି ବହୁତ ଭାରି ଥିବାରୁ ସଂଗ୍ରହାଳୟ ପରିସରରେ ବାହାରେ ପଡି ରହିଥିଲା । ପ୍ରାୟ ଏକବର୍ଷ ସଂଗ୍ରହାଳୟ ବାହାରେ ପଡିରହିବା ପରେ ରବିବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ବସନ୍ତ କୁମାର ସାହୁ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ସହକାରୀ କୋଷାଗାର ଅଧିକାରୀଙ୍କ ଉପସ୍ଥିତିରେ ଜଣେ ତାଲା ମରାମତି କାରିଗରକୁ ଡାକି ବନ୍ଦ ହୋଇ ରହିଥିବା ସିନ୍ଧୁକର ତାଲା ଖୋଲାଯାଇଥିଲା । ବନ୍ଦ ଥିବା ସିନ୍ଧୁକ ମଧ୍ୟରୁ ମଳିନ ଦେଖାଯାଉଥିବା କିଛି ଅଳଙ୍କାର ଦେଖାଯିବା ପରେ ତୁରନ୍ତ ଏ ସଂପର୍କରେ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ପୂରାତନ ଅଳଙ୍କାର ସିନ୍ଧୁକରୁ ଉଦ୍ଧାର କରାଯାଇ ଦୁଇଜଣ ସୁନାରୀଙ୍କ ଦ୍ୱାରା ତାହାକୁ ସଫା କରାଯାଇଥିଲା ।

ସିନ୍ଧୁକରୁ ମିଳିଲା ୧୩ କିଲୋ ରୁପା ଅଳଙ୍କାର

ଉଦ୍ଧାର କରାଯାଇଥିବା ଅଳଙ୍କାରଗୁଡିକୁ ଓଜନ କରାଯିବାପରେ ୧୩ କିଲୋ ୨୩୨ ଗ୍ରାମର ରୁପା ଅଳଙ୍କାର ଓ ୮ ଗ୍ରାମର ଏକ ଅଷ୍ଟଧାତୁ ଅଳଙ୍କାର ମିଳିଥିବା ଜଣାଯାଇଛି । ଅଳଙ୍କାରଗୁଡିକ ମଧ୍ୟରେ ୫୯ଟି ଛତ୍ର, ୪୩ଟି ନାଗ, ୮ଟି ମୁକୁଟ, ୨ଟି ଚାମର ବେଣ୍ଟ, ୮ ଗୋଟି ଗଦା, ୭ ଗୋଟି ଥାଳି ଗିନା, ୩ଟି ଖଗଳା, ୪୭ ଟି ପତ୍ର, ୧୫ଟି ମାଳା ପଦକ, ୨୨ ଟି ବିନ୍ଦି ସମେତ ଅନେକ ଭଙ୍ଗା ଅଳଙ୍କାର ଉଦ୍ଧାର କରାଯାଇଛି । ଅଳଙ୍କାରଗୁଡିକ ରାଜା ରାଜୁଡା ସମୟର ହୋଇଥିବାବେଳେ ସେଥିରେ ୧୯୦୬ ମସିହାର କିଛି ରୁପା ମୁଦ୍ରା ରହିଥିବା ଜଣାଯାଇଛି ।

ଉଦ୍ଧାର କରାଯାଇଥିବା ପୂରାତନ ଅଳଙ୍କାରର ମୂଲ୍ୟ ବର୍ତ୍ତମାନ ବଜାର ଦର ହିସାବରେ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ସେହି ଅଳଙ୍କାରଗୁଡିକୁ ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶଙ୍କ ଉପସ୍ଥିତିରେ ଏକ ଟିଣ ବାକ୍ସରେ ସିଲ କରାଯିବା ସହିତ ଟ୍ରେଜେରୀ ମଧ୍ୟରେ ରଖାଯାଇଥିବା ଜଣାଯାଇଛି । ପରବର୍ତ୍ତି ସମୟରେ ଉକ୍ତ ଅଳଙ୍କାରଗୁଡିକୁ ଜିଲା ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦିଆଯିବ ବୋଲି ଜଣାପଡିଛ । ଟ୍ରେଜେରୀ ମଧ୍ୟରେ ଅନେକ ମନ୍ଦିରର ଅଳଙ୍କାର ସହିତ ସରକାରୀ ସମ୍ପତି ରହିଥିବାବେଳେ ଏତେ ମାତ୍ରାରେ ଅଳଙ୍କାର ଥିବା ଲୁହା ସିନ୍ଧୁକ କିଭଳି ବାହାରେ ପଡି ରହିଥିଲା । ଯଦି ଟ୍ରେଜେରୀ ରେକର୍ଡରେ ଉକ୍ତ ସିନ୍ଧୁକ ନାହିଁ ତାହେଲେ ଏହା କେବେ ଅଣାଯାଇଥିଲା ଏବଂ କିଏ ଆଣିଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ ।

Govt

Comments are closed.