ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡିର ଚଢାଉ

ଦିଲ୍ଲୀ: ଜୁନ ୬: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଚଢ଼ଉ । କୋଲକାତା କଂପାନିରେ ସତ୍ୟେନ୍ଦ୍ରଙ୍କ ଅର୍ଥ ନିବେଶ ଘଟଣାରେ ଇଡି ଚଢ଼ଉ କରିଛି । ଇଡିର ସୂଚନା ଅନୁସାରେ, ବେନାମୀ କଂପାନି ନାଁରେ ସତ୍ୟେନ୍ଦ୍ର ୧୬ କୋଟି ଟଙ୍କା ଦେଣନେଣ କରିଛନ୍ତି । ମୋଟ୍‌ ୮ ଥରରେ ଏହି ୧୬ କୋଟି ଟଙ୍କା ଦେଣନେଣ ହୋଇଥିବାବେଳେ ଶେଷ ତିନି ଥରରେ ୪.୬ କୋଟି ଟଙ୍କାର ଟ୍ରାଞ୍ଜାକସନ ହୋଇଛି । ୨୦୧୫-୧୬ରେ ସତ୍ୟେନ୍ଦ୍ର ଦିଲ୍ଲୀର ଆପ୍‌ ସରକାରରେ ମନ୍ତ୍ରୀ ଥିବାବେଳେ ଏହିସବୁ ଦେଣନେଣ ହୋଇଥିଲା ବୋଲି ଇଡି ଦର୍ଶାଇଛି । ମେ ୩୧ ତାରିଖରେ ଜେରା ପରେ ବନ୍ଧା ହୋଇଥିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ୪କୋଟି ୮୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ବା ମନି ଲଣ୍ଡରିଂ ଅଭିଯୋଗରେ ସିବିଆଇ ତାଙ୍କ ନାଁରେ ୨୦୧୭ରେ ମାମଲା ରୁଜୁ କରିଥିଲା । ସତ୍ୟେନ୍ଦ୍ର ଜୈନ ନିଜେ ପ୍ରତିଷ୍ଠା କରିଥିବା କିଛି କମ୍ପାନୀକୁ ବିପୁଳ ପରିମାଣର ଟଙ୍କା ପଠାଇ ତାକୁ ହଡ଼ପ କରିନେଇଥିବା ଅଭିଯୋଗ ହୋଇଥିଲା । ୨୦୧୫-୧୬ ମସିହାରେ ଦିଲ୍ଲୀରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଭାବେ କାମ କରୁଥାନ୍ତି ସତ୍ୟେନ୍ଦ୍ର । ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିଛି କମ୍ପାନୀକୁ ଛଦ୍ମ କମ୍ପାନୀ ମାନଙ୍କ ଠାରୁ ଟଙ୍କା ପଠାଯାଇଥିଲା । ପରେ ଏହି ଟଙ୍କାକୁ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଂଚଳରେ ଜାଗା କିଣିବା କିମ୍ବା ଋଣ ଶୁଝିବା ପାଇଁ ବ୍ୟବହାର କରାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରିଥିଲା ସିବିଆଇ । ସତୈନ୍ଦ୍ରଙ୍କ ଚାରିଟି କମ୍ପାନୀକୁ ବିପୁଳ ପରିମାଣରେ ଟଙ୍କା ଆସିଥିଲେ ବି, କେଉଁ ସୂତ୍ରରୁ ଏତେ ପରିମାଣରେ ଟଙ୍କା ଆସିଥିଲା ସେନେଇ ସତ୍ୟେନ୍ଦ୍ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । କେବଳ ଏତିକି ନୁହେଁ, ସତ୍ୟେନ୍ଦ୍ର ନିଜ ପତ୍ନୀଙ୍କ ବିଭିନ୍ନ କଂପାନୀରେ ଏକ ତୃତୀୟାଂଶ ଅଂଶୀଦାର ମଧ୍ୟ ଥିଲେ । ତାଙ୍କ ନିର୍ଦ୍ଦେଶରେ ହିଁ କମ୍ପାନୀ ଗୁଡିକ ପରିଚାଳିତ ହେଉଥିଲା । ଏଥିସହ ପୁଞ୍ଜିନିବେଶ ନାଁରେ ବେନାମୀ କମ୍ପାନୀରେ ଟଙ୍କା ରଖାଯାଉଥିଲା । ଏଭଳି କିଛି ପ୍ରମାଣ ମିଳିବା ପରେ, ସିବିଆଇ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ପଚରାଉଚରା ପାଇଁ ଡକାଯାଉଥିଲା ।

Comments are closed.