ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ସ୍ବାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ଆମେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଯୁଦ୍ଧ ଶେଷ ସଂକ୍ରାନ୍ତ ବ୍ୟାପକ ଯୋଜନା ଘୋଷଣାକୁ ସ୍ବାଗତ କରୁଛୁ। ଏକ ଦୀର୍ଘକାଳୀନ, ନିରନ୍ତର ଶାନ୍ତି ଏବଂ ପାଲେଷ୍ଟାଇନ ନାଗରିକ ଓ ଇସ୍ରାଏଲୀ ନାଗରିକଙ୍କ ସୁରକ୍ଷା ଏବଂ ବିକାଶ ପାଇଁ ଏହା ଏକ ବାସ୍ତବ ଦିଗ ପ୍ରଦାନ କରିବ। ସମସ୍ତ ପକ୍ଷ ରାଷ୍ଟ୍ରପତି ଟ୍ରମ୍ପଙ୍କର ଏହି ଅଭିଯାନ ପଛରେ ଏକାଠି ହେବେ ଏବଂ ସଂଘର୍ଷ ଶେଷ କରିବା ପାଇଁ ଏହି ଉଦ୍ୟମକୁ ସମର୍ଥନ କରିବେ ବୋଲି ମୋଦୀ ଆଶା ପ୍ରକଟ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଶାନ୍ତି ଯୋଜନା ଘୋଷଣା କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଇସ୍ରାଏଲ-ହମାସ ମଧ୍ୟରେ ଗତ ଦୁଇବର୍ଷ ଧରି ଚାଲିଥିବା ଯୁଦ୍ଧରେ ପରିସମାପ୍ତି ଘଟିବ। ଉଭୟ ଇସ୍ରାଏଲ ଓ ହମାସ୍ ପକ୍ଷରୁ ଶାନ୍ତି ଯୋଜନା ଗ୍ରହଣୀୟ ହେଲେ ସମସ୍ତ ପଣବନ୍ଦୀଙ୍କୁ ୭୨ ଘଣ୍ଟା ମଧ୍ୟରେ ମୁକ୍ତ କରାଯିବ ବୋଲି କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ହ୍ବାଇଟ୍ ହାଉସ୍ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପସ୍ଥିତିରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ।
