ଝାରସୁଗୁଡାରେ ଆରମ୍ଭ ହେଲା ମୋ ସ୍କୁଲ ହକି ଅଭିଯାନ

ଝାରସୁଗୁଡ଼ା : ମୋ ସ୍କୁଲ ହକି ଅଭିଯାନ ଗତକାଲି ବିଧିବଦ୍ଧ ଭାବରେ ଝାରସୁଗୁଡ଼ାରେ ଆରମ୍ଭ ହୋଇଛି । ନୂତନ ଭାବରେ ଗଠିତ ଜିଲ୍ଲା ହକି ସଂଘ ଓ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏସଏପି ମିନି ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ହକି ସଂଘ ସଭାପତି ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ ପୂର୍ବକ ଅଭିଯାନର ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ହକିର ଭିତ୍ତିଭୂମି ପାଇଁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଜିଲ୍ଲାରେ ହକିକୁ ଆଗକୁ ନେବା ସକାଶେ ପ୍ରାଥମିକ ସ୍ତରରେ ବିଦ୍ୟାଳୟମାନଙ୍କରୁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ପୋରାଞ୍ଚଳ ଓ ବ୍ଲକ ସ୍ତରରେ ଏହି ଅଭିଯାନକୁ ଆଗକୁ ନିଆଯିବ ବୋଲି କହିଛନ୍ତି । ହକିର ଉନ୍ନତି ସକାଶେ ପ୍ରଶିକ୍ଷଣ ପ୍ରଦାନ ପାଇଁ ପ୍ରଶିକ୍ଷକ ନିଯୁକ୍ତି ସଂକ୍ରାନ୍ତୀୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ବାବଦକୁ ରାଜ୍ୟ ସରକାରଙ୍କୁ ପତ୍ରାଳାପ କରାଯାଇଛି ।

ଝାରସୁଗୁଡାରେ ଆରମ୍ଭ ହେଲା ମୋ ସ୍କୁଲ ହକି ଅଭିଯାନ

ଏଚ .କଟାପାଲିଠାରେ ହକି ପଡ଼ିଆର ପ୍ରସ୍ତୁତି ଓ ହକି ଏକାଡେମୀ ପ୍ରତିଷ୍ଠା ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଏସପି ବିକାଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାରେ ହକିର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଥିଲେ । ଆବଶ୍ୟକୀୟ ପ୍ରଶିକ୍ଷଣ ଜିଲ୍ଲାରେ ହକିକୁ ଆଗକୁ ନେବ ବୋଲି ଏସପି ଉଲ୍ଲେଖ କରିଥିଲେ । ଏହି ଅବସରରେ ଏସପି ଶ୍ରୀ ଦାଶ ଓ ଆନ୍ତର୍ଜାତିକ ହକି ଖେଳାଳୀ ମଞ୍ଜୁ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡିଏଭି ପବ୍ଲିକ ସ୍କୁଲ , ଜବାହାର ନବୋଦୟ ବିଦ୍ୟାଳୟ , ସେଣ୍ଟ ମେରୀ ଉଚ୍ଚ ବିଦ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ , ଝାରସୁଗୁଡ଼ା ସମେତ ଅନ୍ୟାନ୍ୟ ବିଦ୍ୟାଳୟ , ରିଜର୍ଭ ପୁଲିସ , ଓଡ଼ିଶା ସ୍‌ୱତନ୍ତ୍ର ସଶସ୍ତ୍ର ବାହିନୀ (୨ୟ ବାଟାଲିଅନ) , ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ତରଫରୁ ଖେଳାଳୀମାନେ ଅନୁଷ୍ଠିତ ପ୍ରଦର୍ଶନୀ ହକି ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟ ମାର୍ଚ୍ଚପାଷ୍ଟରେ ଅଂଶ ଗ୍ରହଣ କରିଥିଲେ । ଓଏସଏପିର ଦୁର୍ଗପତି ଆଶିଷ କୁମାର ଦୁବେ , ଉପ ଦୁର୍ଗପତି ଭବାନୀ ସେଠ,ସହକାରୀ ଦୁର୍ଗପତି ମାନଧାତା ସାଏ ଓ ଦିଲ୍ଲୀପ କୁମାର ସାହୁ , ନିର୍ବାହୀ ଯନ୍ତ୍ରୀ ( ରାସ୍ତା ଓ ଗୃହ ) ତଥା ହକି ସଂଘ ସମ୍ପାଦକ ପ୍ରଦୀପ୍ତ କୁମାର ନାଥ , ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶିଲ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ହକି ସଂଘ ସଦସ୍ୟ ଜୀବନ ମହାନ୍ତି ପ୍ରାକ କଥନ ପ୍ରଦାନ କରିଥିଲେ । ଅଜୟ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ , ମୋ ସ୍କୁଲ ହକି ଅଭିଯାନ ଅନ୍ତର୍ଗତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପଚିଶ ଜଣ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ପୂର୍ବରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଶିକ୍ଷକମାନେ ଆସନ୍ତା ଦିନ ଗୁଡ଼ିକରେ ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ହକି ଖେଳ ସମ୍ପର୍କରେ ତାଲିମ ପ୍ରଦାନ କରିବେ ।

Govt

Comments are closed.