ନୂଆଦିଲ୍ଲୀ : ଦୀର୍ଘ ୩ ବର୍ଷ ପରେ ଚମକିଲେ ମୀରାବାଇ ଚାନୁ । ଭାରତୀୟ ଭାରୋତ୍ତୋଳକ ମୀରାବାଇ ଚାନୁ ନରୱେର ଫୋର୍ଡରେ ଅନୁଷ୍ଠିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପ୍ ୨୦୨୫ରେ ୪୮ କିଲୋଗ୍ରାମ ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି। ସେ ପ୍ରତିଯୋଗିତାରେ ମୋଟ ୧୯୯ କିଲୋଗ୍ରାମ ଭାର ଉଠାଇଥିଲେ। ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳକ ହୋଇଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭାରତର ଷ୍ଟାର ଭାରୋତ୍ତୋଳକ ମୀରାବାଇ ଚାନୁ ନରୱେର ଫୋର୍ଡେରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଚାମ୍ପିଅନସିପରେ ପଦକ ପାଇଁ ଭାରତର ତିନି ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଥିଲା । ଯଦିଓ ସେ ମାତ୍ର ୧୨ କିଲୋଗ୍ରାମ ପାଇଁ ସ୍ୱର୍ଣ୍ଣ ପଦକ ହାତଛଡ଼ା କରିଥିଲେ । ସେ ଚାମ୍ପିଅନସିପରେ ପଦକ ଜିତିଥିବା ତୃତୀୟ ଭାରତୀୟ ମହିଳା ଯିଏ କି ଉଠାଇଥିଲେ ୧୯୯ କିଲୋଗ୍ରାମ ।
ମୀରାବାଇ ସ୍ନାଚ୍ ବର୍ଗରେ ମୋଟ ୮୪ କିଲୋଗ୍ରାମ ଓଜନ ଉଠାଇଥିଲେ । ତା’ପରେ ସେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୫ କିଲୋଗ୍ରାମ ଓଜନ ଉଠାଇଥିଲେ । ମୋଟ୍ ୧୯୯ କିଲୋଗ୍ରାମ ଓଜନ ଉଠାଇ ସେ ରୌପ୍ୟ ପଦକ ଜିତିଛନ୍ତି । ଉତ୍ତର କୋରିଆର ରି ସଙ୍ଗ ଗମ୍ ବିଶ୍ୱ ରେକର୍ଡ ପ୍ରଦର୍ଶନ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଥାଇଲ୍ୟାଣ୍ଡର ଥାନ୍ୟାଥନ୍ ସୁକ୍ଚାରୋଏନ୍ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଏହାପୂର୍ବରୁ ୨୦୧୭ ବିଶ୍ୱ ଚାମ୍ପିଅନସିପରେ ସେ ଆନାହେଇମରେ ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୨୨ରେ ସେ ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।
ବିଜୟ ପରେ ମୀରାବାଇ ଚାନୁ ସିଧାସଳଖ ତାଙ୍କ ପ୍ରଶିକ୍ଷକ ବିଜୟ ଶର୍ମାଙ୍କ ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଗତ କିଛି ବର୍ଷ ଆଘାତ ଯୋଗୁଁ ମୀରାବାଇ ଚାନୁଙ୍କ ପାଇଁ କଷ୍ଟକର ଥିଲା। ଚଳିତ ବର୍ଷ ଅହମ୍ମଦାବାଦରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପରେ ମୀରାବାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ।
