କଟକ : ଥମୁନାହିଁ ନାବାଳିକା ଅସଦାଚରଣ ଘଟଣା । ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି କଟକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ । ଏକ ଚଳନ୍ତା ଅଟୋ ଭିତରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ପକ୍ଷରୁ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଟୋ ଚାଳକଙ୍କୁ ଧରାଯାଇପାରିନାହିଁ ।
ସୂଚନା ଅନୁଯାୟୀ ଗତ ୮ ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ । ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋଚାଳକଙ୍କୁ ପାଣି ମାଗିଥିଲେ। କିନ୍ତୁ ଅଟୋରେ ପାଣି ନଥିବା କହିଥିଲେ ଅଟୋ ଚାଳକ । ଏହି ସମୟରେ ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବାବେଳେ, ଅଟୋ ଚାଳକ ପଛ ସିଟ୍ କୁ ଆସି ନାବାଳିକାଙ୍କୁ ଟଣା ଭିଡା କରିଥିଲେ । ନାବାଳିକା ଜଣକ ଚିତ୍କାର କରିବାରୁ ତାଙ୍କୁ ପେଟ୍ରୋଲ ଢାଳି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଟୋ ଚାଳକ । ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
