ହାଇଦ୍ରାବାଦ: ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ୨ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ମାମଲାରେ ୩ ଅଭିଯୁକ୍ତ ନାବାଳକ ଥିବାରୁ ପୋଲିସ୍ ହେପାଜତକୁ ନିଆଯାଇ ଆଜି ସେମାନଙ୍କୁ ପଚରାଉଚରା କରାଯିବ । ଗତକାଲି ଅଭିଯୁକ୍ତ ସାଦୁଦ୍ଦିନ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ । ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଅଛନ୍ତି । ହେଲେ ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ଏଥିରେ ସମ୍ପୃକ୍ତ ନଥିବା ପୀଡ଼ିଡ଼ା ଜଣକ କହିଥିବା ପୋଲିସ୍ କହିଛି । ତେବେ ୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀଙ୍କୁ ମର୍ସିଡିସ୍ କାରରେ ଗଣଦୁଷ୍କର୍ମ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଘଟଣାଟି ଇନୋଭା କାରରେ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ସୂଚନା ଅନୁସାରେ, ୧୭ ବର୍ଷୀୟ ସମ୍ପୃକ୍ତ ଯୁବତୀ ଜଣେ ବନ୍ଧୁଙ୍କ ସହ ଗତ ୨୮ ତାରିଖ ଦିନ ଏକ ପବରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏହାପରେ ଯୁବତୀ ଜଣକ ଉକ୍ତ ଯୁବକ ଓ ତାଙ୍କ ସାଙ୍ଗମାନଙ୍କ ସହ ପବରୁ ବିଳମ୍ବିତ ରାତିରେ ବାହାରିଥିଲେ । ସେମାନେ ଯୁବତୀଙ୍କୁ ଘରେ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଯୁବତୀ ଜଣକ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ । ହେଲେ ଏହି ୫ ଅଭିଯୁକ୍ତ ଯୁବତୀଙ୍କୁ ଘର ଛାଡ଼ିବା ପରିବର୍ତ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

Comments are closed.