ଉପାନ୍ତ ବ୍ଲକରେ ବାଟବଣା ମନରେଗା: ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ଜବ୍‌କାର୍ଡଧାରୀ

ଜିଆର୍‌ଏସ୍‌ଙ୍କ ପାଖରେ ଶହ ଶହ ଜବ୍‌କାର୍ଡ, ନୂଆଗାଁରେ ୨୮, ୩୫୬ ଲୋକଙ୍କୁ ମିଳିଛି ଜବ୍‌କାର୍ଡ

ରାଉରକେଲା: ସୁନ୍ଦରଗଡ ନୂଆଗାଁ ବ୍ଲକ ସୋରଡାର ବିମଳ ମୁଣ୍ଡାଛ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ବର୍ଷକୁ ୧୦୦ ଦିନର କାମ ମିଳିବାକୁ ଜବ କାର୍ଡ ପାଇଛନ୍ତି । କାମ ପାଇଁ ପଞ୍ଚାୟତ ଅଫିସରୁ ବ୍ଲକ ଅଫିସ ଦୌଡ଼ିଛନ୍ତି । ସୁଫଳ ନ ମିଳିବାରୁ ସୁରଟରେ ଦାଦନ ଖଟୁଛନ୍ତି । ବାରିଲେପଟା ପଞ୍ଚାୟତ ପତ୍ରାପାଲିର ଜବକାର୍ଡଧାରୀ ଉଲେଶ ମହାନ୍ତ ବି ସୁରଟରେ । ସେମିତି କାମ ନ ପାଇ ପରିବାର ଲୋକଙ୍କ ପେଟ ପୋଷିବାକୁ ନରେଶ ମହାତୋ ମୁମ୍ବାଇ, ଜୁବେର ଓରାମ ଗୁଜୁରାଟରେ ଦାନନ ଖଟୁଛନ୍ତି । କେବଳ ଏହି ୪ ଜଣ ନୁହେଁ ବ୍ଲକରେ ଏମିତି ଶହ ଶହ ଲୋକ ଜବକାର୍ଡ ଥାଇ ବାହାରକୁ ଦାନନ ଖଟିବାକୁ ଯାଇଛନ୍ତି । କିଏ ପଞ୍ଜାବ, କୋଲକାତା ତ’ ଅନ୍ୟ କିଏ ଦିଲ୍ଲୀ, ଆନ୍ଧ୍ରରେ କାମ କରୁଛନ୍ତି । ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାର ଉପାନ୍ତ ବ୍ଲକରେ ମନରେଗା ବାଟବଣା ହୋଇଛି ।

ଗୋଟିଏ ପଟେ ଜବ୍‌ କାର୍ଡ ଥାଇ ଲୋକମାନେ ଦାଦନ ମୁହାଁ ହେଉଥିବାବେଳେ ପଞ୍ଚାୟତ ଅଧିକାରୀମାନେ ନିଜ ପାଖରେ ଶତାଧିକ କାର୍ଡ ରଖିଛନ୍ତି । ଏସବୁ କାର୍ଡରେ ବାହାର ଲୋକଙ୍କୁ କାମ କରାଇ ମୋଟା ଅଙ୍କର କମିଶନ ଖାଉଛନ୍ତି । ପଞ୍ଚାୟତ ଅଧିକାରୀ ଭଳି ବ୍ଲକର ବିଭାଗୀୟ ଅଧିକାରୀମାନେ ମଧ୍ୟ ସେହି ସମାନ ପନ୍ଥା ଆପଣେଇଛନ୍ତି । ମନରେଗାରେ ବର୍ଷକୁ ବ୍ଲକରେ ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ରାସ୍ତା ମରାମତି, କଲର୍ଭଟ , ଡ୍ରେନ୍‌ ଓ ଗାଡୱାଲ୍‌ ଆଦି କାମ ରେ ଏସବୁ ଟଙ୍କା ବିନିଯୋଗ ହେଉଛି । କାମ ନେଉଥିବା ଠିକା ସଂସ୍ଥାମାନେ ଜବକାର୍ଡଧାରୀଙ୍କୁ କାମ ଦେବା ପରିବର୍ତ୍ତେ ମେସିନ୍‌ ଓ ବାହାର ଲୋକଙ୍କୁ କାମରେ ଲଗାଉଛନ୍ତି । ପରେ ଚଞ୍ଚକତା କରି ସାଇତି ରଖିଥିବା ଜବକାର୍ଡକୁ ବ୍ୟବହାର କରି ବିଲ୍‌ ଉଠାଇ ନେଉଛନ୍ତି । ଟେର୍‌ ପାଉ ନାହାନ୍ତି ଉଚ୍ଚ ଅଧିକାରୀ । କେବଳ ନୂଆଗାଁ ନୁହେଁ ଜିଲ୍ଲାରେ ଅନ୍ୟାନ୍ୟ ବ୍ଲକରେ ହଜାର ହଜାର ଜବ୍‌ କାର୍ଡଧାରୀ ସେହି ସମାନ ଦଶା ଭୋଗୁଛନ୍ତି । କାମ ଆଶାରେ ଦେଡୁଥିବା ଅନେକ ଜବ୍‌ କାର୍ଡଧାରୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କି;ୁ ଏଭଳି ବେଆଇନ କରୁଥିବା ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଧକାରୀମାନେ ଚୁପ୍‌ ବସିଛନ୍ତି ।

ନୂଆଗାଁ ବ୍ଲକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ଲକର ୨୮ ହଜାର ୩୫୬ ଲୋକଙ୍କୁ ଜବ କାର୍ଡ ଦିଆଯାଇଛି । ଅଙ୍ଗୁରପାଲି ପଞ୍ଚାୟତରେ ୧,୩୯୧ ଜଣଙ୍କୁ ଜବକାର୍ଡ ମିଳିଥିବାବେଳେ ବଡଯୋଜଦାରେ ୧,୫୮୦, ବାଗଡେଗାରେ ୧,୨୦୩, ବାରିଲେପଟାରେ ୧,୩୯୨, ଚିତାପେଡିରେ ୨,୩୨୫, ହାତୀବାରିରେ ୧,୦୦୫, ଜାହାରିଟୋଲିରେ ୧,୩୬୪ ଜଣଙ୍କୁ ଜବ୍‌ କାର୍ଡ ମିଳିଛି । ସେମିତି କନ୍ଦରକେଲାରେ ୧,୩୮୩, କରଡେଗା ୧,୫୫୮, କର୍କଟନାଶାରେ ୧,୩୦୬, ଖୁଣ୍ଟଗାଁରେ ୧,୪୫୦, କୋକେରମାରେ ୨,୪୦୭, ଲିମିଡା ୧,୭୧୮, ଲୁକୁମବେଡାରେ ୧,୩୬୭, ମେନ୍ମେନାରେ ୧,୨୮୫, ନୂଆଗାଁରେ ୧,୧୨୭, ପୁରୁଣାପାଣିରେ ୧,୧୨୩, ସୋରଡାରେ ୧,୪୯୭, ତେତେରକେଲାରେ ୧,୦୫୨ ଓ ଉର୍ମେଇ ପଞ୍ଚାୟତରେ ୮୨୩ ଜଣଙ୍କୁ ଜବ କାର୍ଡ ମିଳିଛି । ଏତେ ସଂଖ୍ୟକ ଲୋକଙ୍କ ଜବPାର୍ଡ ମିଳିଥିହେଁ ପ୍ରାୟ ଅର୍ଦ୍ଧାଧିକ ଲୋକଙ୍କୁ ବର୍ଷକରେ ୧୦୦ ଦିନର କାମ ମିଳୁନଥିବା ଜବ୍‌ କାର୍ଡଧାରୀମାନେ ଅଭିଯୋଗ କରିଛନ୍ତି ।

Comments are closed.