ମ୍ୟାଟ୍ରିମୋନି ଧୋକା

ଆଜିର ଆଧୁନିକ ଯୁଗରେ ଆୟୋଜିତ ବିବାହ କଷ୍ଟସାଧ୍ୟ ହୋଇଯାଇଛି । ଏହାର କାରଣ ହେଲେ ମଧ୍ୟସ୍ତଙ୍କ ଅଭାବ, ଯୁବକଯୁବତୀଙ୍କୁ ସ୍ୱଇଚ୍ଛାରେ ଜୀବନସାଥୀ ଚୟନର ସମ୍ମତି ଓ ଅପେକ୍ଷାକୃତ ସମୟର ଅଭାବ । ଏଥିପାଇଁ ସାଥୀ ଖୋଜିବା ଲାଗି ବିବାହ ଆଶାୟୀ ଓ ସେମାନଙ୍କ ପରିବାରବର୍ଗ ଇଣ୍ଟରନେଟ୍‌ର ସହାୟତା ନେବାକୁ ବାଧ୍ୟ ହେଉଛନ୍ତି । ଉତ୍ତମ ଜୀବନସାଥୀ ମିଳିଯିବା ଆଶାରେ ଭିନ୍ନ ଭିନ୍ନ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ନିଜ ପ୍ରୋଫାଇଲ ପ୍ରସ୍ତୁତ କରୁଛନ୍ତି । ହେଲେ ଏବେ ଅନେକ ମ୍ୟାଟ୍ରିମୋନିଆଲ ସାଇଟ୍‌ ପାର୍ଟନର ଖୋଜିବା ସ୍ଥାନରେ ଧୋକାବାଜୀର ଆଡା ପାଲଟିଯାଇଛି । ଏହି ସାଇଟ୍‌ଗୁଡ଼ିକରେ ପ୍ରଥମେ ଅନେକ ଲୋଭନୀୟ ଅଫରର ଆଶା ଦିଆଯାଉଛି ଓ ପରେ ଆଶାୟୀଙ୍କ ପକେଟ ଖାଲି କରିଦିଆଯାଉଛି । ଏହା ବ୍ୟତୀତ ଯଦିବି କିଞ୍ଚିତ ବିବାହ ସମ୍ଭବ ହେଉଛି, ସେଥିରେ ମିଥ୍ୟା ଓ ପ୍ରତାରଣା ଭରିରହୁଛି । ଯେପରିକି ପୁଅ ହେଉ କି ଝିଅ, କିଏ ନିଜ ବୟସ, ଚାକିରି, ପରିବାର ସମ୍ପର୍କରେ ମିଥ୍ୟା ତଥ୍ୟ ଦେଉଛି ତ ଆଉ କିଏ ବିବାହିତ, ସ୍ୱାମି ପରିତ୍ୟକ୍ତ କିମ୍ବା ବିଧାବ ହୋଇ ଏହାକୁ ଲୁଚାଉଛି । ଫଳରେ ଏହି ମଥ୍ୟ ଶେଷରେ ଉଗ୍ର ପାରିବାରିକ ବିଶୃଙ୍ଖଳାର ରୂପ ନେଉଛି । ସେଥିପାଇଁ ମ୍ୟାଟି୍ରମୋନିଆଲ୍‌ ସାଇଟ୍‌ରେ ପ୍ରୋଫାଇଲ୍‌ ବନାଇବା ଓ ଯାଞ୍ଚ କରିବା ବେଳେ ସାବଧାନତା ଓ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।
ଯେ କୌଣସି ସାଇଟ୍‌ରେ ପ୍ରୋଫାଇଲ ପ୍ରସ୍ତୁତ କରିବା ପୂର୍ବରୁ ଏହା ସମ୍ପର୍କରେ ଭଲଭାବେ ଯାଞ୍ଚ କରିବା ଜରୁରୀ । ଏହି ସାଇଟ୍‌ର ରେଟିଂ କ’ଣ ରହିଛି, ଏହା ବିଶ୍ୱସନୀୟ କି ନୁହେଁ ଇତ୍ୟାଦି । ବିବାହ ଆଶାରେ ଆତୁର ହୋଇ ତରବରିଆ କୌଣସି ପଦକ୍ଷପ ନେବା ଉଚିତ୍‌ ନୁହେଁ । ତେବେ ଅନେକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ବିଶ୍ୱସନୀୟ ହୋଇଥିବା ବେଳେ, କିଛି ଏପରି ସାଇଟ୍‌ ରହିଛି ଯାହାର ଲକ୍ଷ୍ୟ ହେଉଛି କେବଳ ଠକିବା । ଏମାନେ ଏପରି ପ୍ରୋଫାଇଲ୍‌ ପଠାନ୍ତି ଯାହାକୁ ଦେଖି ଯେକେହି ଖୁସି ହୋଇଯିବ । ଏହି ପ୍ରୋଫାଇଲ୍‌ ମାଧ୍ୟମରେ ଏମାନେ ବର କିମ୍ବା କନ୍ୟାପକ୍ଷଙ୍କୁ ଫେକ୍‌ ଫଟୋ ଦେଖାଇଥାନ୍ତି । ଶିକ୍ଷାଗତ ଯୋଗ୍ୟତା, ଚାକିରି ଓ ପରିବାର ସମ୍ପର୍କରେ ଆବଶ୍ୟକତାଠାରୁ ଅଧିକ ଭଲ ବୋଲି ଦର୍ଶାଇଥାନ୍ତି । ହେଲେ ଏହାର ବାସ୍ତବତାକୁ ଯାଞ୍ଚ କଲେ କୌଣସି ତଥ୍ୟ ଠିକ୍‌ ନ ଥିବା ଜାଣିବାକୁ ମିଳିଥାଏ । ଏହାଛଡ଼ା ଏହିସବୁ ସାଇଟ୍‌ଗୁଡ଼ିକରୁ ଭିନ୍ନ ଭିନ୍ନ ସବ୍ସକ୍ରିପ୍‌ଶନ କିଣିବାକୁ କୁହାଯାଇଥାଏ । ସେଲ୍‌ସ ଗର୍ଲମାନେ କଲ୍‌ କରି ଏହି ଆପ୍‌ ସମ୍ପର୍କରେ ମାଇଣ୍ଡ୍‌ଓ୍ୱାସ୍‌ କରିଥାନ୍ତି । ଏହି ଆପ୍‌ର ସବ୍‌ସ୍କ୍ରିପ୍‌ଶନ୍‌ ଖୁବ୍‌ ମହଙ୍ଗା, ତୁରନ୍ତ କିଣିଲେ ଶସ୍ତାରେ ହୋଇଯିବାର ଲୋଭ ଦେଖାଇଥାଆନ୍ତି । ବାରମ୍ବାର ଏପରି ଫୋନ୍‌ ଆସିଲେ ଏହାକୁ ଅଣଦେଖା କରିଦିଅନ୍ତୁ । ଅନେକ ନକଲି ମ୍ୟାଟି୍ରମୋନିଆଲ୍‌ ସାଇଟ୍‌ କମ୍‌ ଖର୍ଚ୍ଚରେ ମହଙ୍ଗା ସବ୍‌ସ୍କ୍ରିପ୍‌ଶନ୍‌ର ଅଫର ୧ ମାସ କିମ୍ବା ୧ ବର୍ଷ ପାଇଁ ଦେଇଥାନ୍ତି । ଅନେକ ସମୟରେ ଏମାନେ ରିଲେଶନସିପ୍‌ ମ୍ୟାନେଜରର ସୁବିଧା ଦେବା ବାହାନାରେ ଏକ୍ସଟ୍ରା ଅର୍ଥ ମଧ୍ୟ ଲୁଟିଥାନ୍ତି । ଥରେ ଏମାନଙ୍କ ସବ୍‌ସ୍କ୍ରିପ୍‌ଶନ୍‌ କିଣିଦେବା ପରେ ଫ୍ୟାକଫ ଚେକ୍‌ କଲାବେଳକୁ ସବୁ ନକଲି ବୋଲି ଜଣାପଡ଼ିଥାଏ । ଏସବୁରୁ ବଞ୍ଚିବାକୁ ହେଲେ ବିଶ୍ୱସନୀୟ ଆପ୍‌ ଚୟନ କରି ପ୍ରୋଫାଇଲ୍‌ ବନାନ୍ତୁ । ପ୍ରୋଫାଇଲ୍‌ ମ୍ୟାଚ୍‌ ସମୟରେ ଅନ୍ୟପକ୍ଷର ବ୍ୟକ୍ତିଙ୍କ ସୁନ୍ଦରାତା ଛଡ଼ା ବ୍ୟକ୍ତିତ୍ୱ, ରୋଜଗାର ମ୍ୟାଚ୍‌ କରୁଛି କି ନାହିଁ ତାହା ନିଶ୍ଚିତ ଦେଖନ୍ତୁ ।

ଠକାମୀର ପ୍ରକାର
ଫେକ୍‌ ପ୍ରୋଫାଇଲ୍‌: ଧୋକାବାଜ୍‌ମାନେ ଏକ ନକଲି ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥାନ୍ତି । ଏଥିରେ ଯେଉଁ ଯୁବତୀ କିମ୍ବା ଯୁବକଙ୍କ ଫଟୋ କିମ୍ବା ତଥ୍ୟ ଦିଆଯାଇଥାଏ ଏଥିରେ ବାସ୍ତବତା ନ ଥାଏ । କେବଳ ଆଶୟୀଙ୍କ ଆଟ୍ରାକଫ କରିବା ଲାଗି ଏହି ପ୍ଲାନ୍‌ କରାଯାଇଥାଏ ।
ଆର୍ଥିକ ଧୋକା: ଧୋକାବାଜ୍‌ମାନେ ଆଶାୟୀଙ୍କଠାରୁ ବିଭିନ୍ନ ଆଳରେ ଅର୍ଥ ଲୁଟ୍‌ର ଉଦ୍ୟମ କରିଥାନ୍ତି । ଭିଜା, ଅନ୍ୟ ଡକ୍ୟୁମେଣ୍ଟ ପ୍ରସ୍ତୁତ ଲାଗି ଅର୍ଥ ମାଗିଥାନ୍ତି । ଏହାଛଡ଼ା ଅନ୍ୟାନ୍ୟ ଆର୍ଥିକ ଲାଭର ଲୋଭ ମଧ୍ୟ ଦେଖାଇଥାଆନ୍ତି । ଏହି ମୋହରେ ପଡ଼ିବା ମାତ୍ରେ ଅର୍ଥଶ୍ରାଦ୍ଧ ହେବାଟା ନିଶ୍ଚିତ ।
ଭାବନାତ୍ମକ ଧୋକା: ଏହି କ୍ଷେତ୍ରରେ ଧୋକାବାଜମାନେ ଆଶାୟୀଙ୍କ ସହ ପ୍ରେମର ନାଟକ ରଚିଥାନ୍ତି । ବିଭିନ୍ନ ଫଟୋ, ଭିଡିଓ ଓ ସୁନ୍ଦର କଥା ମାଧ୍ୟମରେ ଟାର୍ଗେଟ୍‌କୁ ବଶ କରିବା ପରେ ବିଭିନ୍ନ ଆଳରେ ଲୁଟିବା ଆରମ୍ଭ କରିଦେଇଥାନ୍ତି । ବାସ୍ତବତା ଜାଣିବା ପୂର୍ବରୁ ଆଶାୟୀ ଅନେକ କିଛି ହରାଇ ସାରିଥାଏ ।
ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ: ସତ୍ୟାସତ୍ୟ ନ ବୁଝି କୌଣସି ବି ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ବ୍ୟକ୍ତିଗତ ତଥ୍ୟା ସେୟାର କରିଦେବା ଉଚିତ୍‌ ନୁହେଁ । ଏଭଳି ଭୁଲ୍‌ ଥରେ କରିଦେଲେ ଠକମାନେ ଏହି ବ୍ୟକ୍ତିଗତ ଡାଟାର ଦୁରୁପଯୋଗ କରି କୌଣସି ବି ବାଟରେ ଠକିପାରନ୍ତି । ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ।
ବିବାହ ଆଶାରେ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ସାମିଲ ହେବା ଭୁଲ୍‌ ନୁହେଁ । ହେଲେ ଏଥିଲାଗି ଅନେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଯେଉଁ ସାଇଟ୍‌ରେ ପ୍ରୋଫାଇଲ୍‌ ବନାଉଛନ୍ତି ତାହାର ସତ୍ୟାସତ୍ୟ ଜାଣିବା ପ୍ରଥମ କର୍ତ୍ତବ୍ୟ । ଏହାପରେ ଯଦି କୌଣସି ବ୍ୟକ୍ତି ସ୍ୱଳ୍ପ ଭାବ ଆଦାନପ୍ରଦାନରେ ଖୁବ୍‌ଶୀଘ୍ର ବିବାହ ପ୍ରସ୍ତାବ ରଖେ ବା କିଛି ଅର୍ଥ ଦାବି କରେ ତେବେ ସାବଧାନ ହୋଇଯିବା ଜରୁରୀ । ଅଲକ୍ଷରେ ଏପରି ଠକଙ୍କ ଜାଲରେ ଫସିଗଲେ ତୁରନ୍ତ ନିକଟସ୍ଥ ପୋଲିସ କିମ୍ବା ଅନ୍ୟ ନ୍ୟାୟିକ ବ୍ୟବସ୍ଥାର ସହାୟତା ନିଅନ୍ତୁ । ବୈବାହିକ ଧୋକା ଏକ ଗମ୍ଭୀର ଅପରାଧ । ଏଥିରୁ ବଞ୍ଚିବାକୁ ହେଲେ ସାବଧାନତା ଓ ସତର୍କତା ବିଧେୟ ।

Govt

Comments are closed.