ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ବାଣ ବିସ୍ଫୋରଣ ଘଟଣା ପରେ ପୁଲିସ ପକ୍ଷରୁ ତିନି ଦିନ ହେଲା ଚଢ଼ାଉ ଜାରି ରହିଛି। ମଙ୍ଗଳବାର ପୁରୁଣା କଟକ ଅଠର ନଳାରେ ଚଢ଼ାଉ କରାଯାଇ ପୁଣି ପେଟି ପେଟି ବାଣ ଜବତ କରାଯାଇଛି। ସେହିପରି ପୂର୍ବରୁ ୩ଟି ସ୍ଥାନରେ ଚଢ଼ାଉ କରାଯାଇ ୭ ପେଟି ଗାଡି ବାଣ ଜବତ ସରିଛି। ଆଜି ମଧ୍ୟ ବାଣ ଗୋଦାମରେ ଚଢ଼ାଉ କରାଯିବ । ବୌଦ୍ଧ ଏସଡିପିଓଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୯ଟି ଟ୍ରକ ବାଣ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୬କୋଟିରୁ ଅଧିକ ହେବ । ପୁରୁଣାକଟକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ପୁଲିସ ପକ୍ଷରୁ ଅଞ୍ଚଳର ସବୁ ବାଣ ବ୍ୟବସାୟୀଙ୍କ ଗୋଦାମରେ ଚଢ଼ାଉ ହୋଇଛି । ଗୋଦାମ ଗୁଡ଼ିକରେ ରହିଥିଲା ବିପୁଳ ପରିମାଣର ବାଣ ସହ ବିସ୍ପୋରକ ରାସାୟନିକ ଦ୍ରବ୍ୟ ଜବତ ହୋଇଛି ।
ଚଢ଼ାଉରେ ଏସଡିପିଓ, ୩ଜଣ ଆଇଆଇସି, ବୋମା ନିଷ୍କ୍ରିୟକାରୀ ଦଳ, ଆଇଆରବି ଯବାନଙ୍କ ସହ ଅଗ୍ନିଶମ ବିଭାଗର ଟିମ ସାମିଲ ହୋଇଛନ୍ତି । ସମସ୍ତ ବାଣକୁ ବୌଦ୍ଧ ବଲାସିଙ୍ଗା ସ୍ଥିତ ଆଇଆରବି ବାଟାଲିଅନ ପରିସରରେ ପୋତାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁସାରେ,ଗତ ରବିବାର ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ନିକଟସ୍ଥ ଜିଆଁକଟାରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୨ ଜଣ ଗୁରୁତର ଆହତ ହୋଇଥିଲେ । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଘର ସଂପୂର୍ଣ୍ଣ ଧ୍ଵଂସ ହେବା ସହ ଆଖ ପାଖ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

Comments are closed.