ଭୁବନେଶ୍ୱର : ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ଜବତ ହେଲା ମାରିଜୁଆନା । ବ୍ୟାଙ୍କକରୁ ଏହି ବିଦେଶୀ ଗଞ୍ଜେଇ ଭୁବନେଶ୍ୱର ନେଇ ଆସିଥିବାବେଳେ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଅଟକ ଯୁବକ ଯୁବତୀ ଦୁହେଁ ପ୍ରେମୀ ଯୁଗଳ ବୋଲି ଜଣାପଡିଛି । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୪କୋଟି ହେବ ବୋଲି ସୂଚନା ମିଳିଛି । କୌଣସି ସୁତ୍ରରୁ ଖବର ପାଇ ଏୟାରପୋର୍ଟରେ ଉପସ୍ଥିତ ଥିବା କଷ୍ଟମ ବିଭାଗର ଅଧିକାରୀମାନେ ଉକ୍ତ ଯାତ୍ରୀଙ୍କୁ ପଚରାଉଚରା କରିଥିଲେ ।
ସୂଚନାନୁସାରେ, ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳିତ ମାସ ୮କୋଟି ଟଙ୍କାର ବିଦେଶୀ ଗଞ୍ଜେଇ ଜବତ ହୋଇଥିଲା। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ହାବୁଡ଼ରେ ଏହି ଚୋରାଚାଲାଣ ଧରାପଡ଼ିଥିଲା। ଏହି ଚଢ଼ଉରେ ଗୁଜୁରାଟ ଅହମ୍ମଦାବାଦର ଜଣେ ଯୁବକଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା ।
ସେହିପରି ଗତ ମାସ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା। ଏହି ଚଢ଼ଉରେ ଉତ୍ତରପ୍ରଦେଶର ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ପୁଣିଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ଗଞ୍ଜେଇ ହବ୍ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ରାକେଟ ଚାଲିଥିବା ସ୍ପଷ୍ଟ ହୋଇଛି।
